ଏମ୍ସର ଜରୁରୀକାଳୀନ ୱାର୍ଡରେ ଅଗ୍ନିକାଣ୍ଡ, ରାସ୍ତା ଉପରେ ରୋଗୀଙ୍କୁ ଚିକିତ୍ସା କଲେ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୋମବାର ଭୋର୍ ପ୍ରାୟ ୫ଟା ସମୟରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀର ୭ଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି ଥିବା ରୋଗୀଙ୍କୁ ତୁରନ୍ତ ବାହାରକୁ ଅଣାଯିବା ସହ ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । କିଛି ରୋଗୀଙ୍କୁ ଡାକ୍ତର ରାସ୍ତା ଉପରେ ଚିକିତ୍ସା କରୁଥିବା ଦେଖାଯାଇଛି ।
ଏମ୍ସ କର୍ତ୍ତୃପକ୍ଷ ଗମ୍ଭୀର ରୋଗୀଙ୍କୁ ସଫଦରଜଙ୍ଗ ସ୍ଥାନାନ୍ତରଣ କରିଛନ୍ତି । ଅଗ୍ନିଶମ ବିଭାଗ ଅନୁସାରେ, ଷ୍ଟୋର ରୁମରେ ପ୍ରଥମେ ନିଆଁ ଲାଗିଥିଲା । ଏବେ ନିଆଁ ଆୟତ୍ତକୁ ଆସିଥିବା ବେଳେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଏହା ପୂର୍ବରୁ ଜୁନ୍ ୧୭ ତାରିଖରେ ମଧ୍ୟ ଏମ୍ସରେ ନିଆଁ ଲାଗିଥିଲା । ଏମ୍ସର ନବମ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା ।