ପାକିସ୍ତାନକୁ ନିଜ ଦେଶ ଦର୍ଶାଇଲେ AMU ଛାତ୍ର, ମାମଲା ରୁଜୁ

ଅଲିଗଡ଼: ଦେଶ ବିରୋଧୀ ଟିପ୍ପଣୀକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଲିଗଡ଼ ମୁସଲିମ୍ ୟୁନିଭରସିଟି । ଏଏମୟୁର ୨ ଜଣ ଛାତ୍ର ଫେସବୁକରେ ପାକିସ୍ତାନକୁ ସମର୍ଥନ କରିଛନ୍ତି । ଯାହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଅତରୋଲି ଥାନାରେ ଏଏମୟୁର ୨ ଛାତ୍ରଙ୍କ ନାଁରେ ମାମଲା ହୋଇଛି । ଛାତ୍ର ଦ୍ୱୟ ପାକିସ୍ତାନକୁ ନିଜ ଦେଶ କହି ଫେସବୁକରେ ଫଟୋ ସେୟାର୍ କରିଥିଲେ । ପୋଲିସ ଏଫଆଇଆର୍ ରୁଜୁ କରି ତଦନ୍ତ ଜାରି ରଖିଛି ।

ଅଲିଗଡ଼ ମୁସଲିମ୍ ୟୁନିଭରସିଟିର ଛାତ୍ର ସାକିବ ରସୁଲ ଓ ସେଖ୍ ଅରଫନ ନିଜ ଫେସବୁକ ପେଜରେ ଭାରତ ବିରୋଧୀ ଓ ପାକିସ୍ତାନ ସପକ୍ଷରେ ଦେଶ ବିରୋଧୀ ମନ୍ତବ୍ୟ ଦେଇଛନ୍ତି । ଏନେଇ ହିନ୍ଦୁବାଦୀ ନେତା ଦୀପକ ଶର୍ମା ଆଜାଦ ଅତରୋଲି ଥାନାରେ ମକଦ୍ଦମା ରୁଜୁ କରିଛନ୍ତି ।

ଦୀପକ ଶର୍ମାଙ୍କ କହିବା ଅନୁଯାୟୀ, ଭାରତରେ ରହି ପାକିସ୍ତାନକୁ ଭଲ ପାଉଥିବା କହି ଦୁହେଁ ଭାରତୀୟଙ୍କ ମନରେ ଆଘାତ ଦେଇଛନ୍ତି । ଏହା ଦେଶର ଅସ୍ମିତା ପ୍ରତି ବିପଦଜ୍ଜନକ । ଏଭଳି ଲୋକଙ୍କୁ ଶୀଘ୍ର ଜେଲରେ ଭର୍ତ୍ତି କରିବା ଉଚିତ୍ । ଏହାକୁ ଦେଖି ଯେଭଳି ଅନ୍ୟ କେହି ଏପରି ଦେଶ ବିରୋଧୀ କାର୍ଯ୍ୟ କରିବାକୁ ଚିନ୍ତା କରିବ ନାହିଁ ।

ପୋଲିସ ୨ ଛାତ୍ରଙ୍କ ବିରୋଧରେ ୧୫୩(ଏ), ୧୫୩(ବି), ସୂଚନା ପ୍ରଯୁକ୍ତି ସଂଶୋଧନ ଆଇନ୍ ୨୦୦୮ ଓ ୬୬(ଡି) ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ କରୁଛି ।

Leave a Reply