ଗାନ୍ଧିଙ୍କ ପରେ ନେହେରୁଙ୍କୁ ନେଇ ବାବା କାଳୀଚରଣଙ୍କ କଳା ମନ୍ତବ୍ୟ

1 min read

ରାୟପୁର: ବାବାଙ୍କ ବେଫିକର ଅନ୍ଦାଜ। ପୁଣି ଭିଡିଓ ଜାରି କରି ଗାନ୍ଧିଙ୍କୁ ଅପମାନିତ କରିଛନ୍ତି କାଳୀଚରଣ । ରାଷ୍ଟ୍ରପିତାଙ୍କୁ ସର୍ବ ସମ୍ମୁଖରେ ଗାଳି, ସମ୍ପ୍ରଦାୟକୁ ନେଇ ଘୃଣା ସୃଷ୍ଟି କରୁଥିବା ଭଳି ବୟାନ ଦେଇଥିବା କାଳୀଚରଣଙ୍କୁ ଏଯାଏଁ ଗିରଫ କରିନି ପୋଲିସ । FIR ପରେ ବି ଗିରଫ ହୋଇନାହାନ୍ତି କାଳୀଚରଣ । ଧର୍ମ ସଂସଦରେ ଘୃଣା, ହିଂସା ସୃଷ୍ଟି କରିବା ଭଳି ବୟାନ ଦେବା ପରେ ବି କାଳୀଚରଣଙ୍କୁ ଗିରଫ କରା ନଯିବା ନେଇ ତେଜୁଛି ଅସନ୍ତୋଷ । ନିଜକୁ ସନ୍ଥ କହୁଥିବା ଜଣେ ଅଧର୍ମୀର ବୟାନକୁ ନେଇ ଜାରି ରହିଛି ବିବାଦ।

ଧର୍ମ ସଂସଦରେ ଏଭଳି ବୟାନ ଦେବାକୁ ନେଇ ଏଫ୍‌ଆଇଆର ରୁଜୁ ହୋଇଥିଲେ ବି କ୍ଷମା ମାଗିବାକୁ ସଫା ସଫା ମନା କରିଦେଇଛନ୍ତି କାଳିଚରଣ । ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ୮ମିନିଟ ୫୧ ସେକେଣ୍ଡର ଏକ ଭିଡିଓ ଅପଲୋଡ କରିଛନ୍ତି । ଏହି ଭିଡିଓରେ ସେ ପୁଣି ଗାନ୍ଧିଜୀଙ୍କୁ ଟାର୍ଗେଟ କରିଛନ୍ତି । ଗାନ୍ଧିଜୀଙ୍କ ପ୍ରତି ବ୍ୟବହାର କରିଥିବା ଅପମାନ ସୂଚକ ଶବ୍ଦ ପାଇଁ ମୁଁ ଆଦୌ ଦୁଃଖିତ ନୁହେଁ । ବରଂ ସର୍ଦ୍ଦାର ପଟେଲଙ୍କ ପରିବର୍ତ୍ତେ ନେହେରୁଙ୍କୁ କାହିଁ ପ୍ରଧାନମନ୍ତ୍ରୀ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ମହାତ୍ମା ଗାନ୍ଧି ରାଷ୍ଟ୍ରପିତା ନୁହନ୍ତି ବଂଶବାଦର ଜନକ । ଗାନ୍ଧିଜୀଙ୍କ ପ୍ରତି ମୋ ମନରେ ତିରସ୍କାର ରହିଛି ବୋଲି କହିଛନ୍ତି କାଳୀଚରଣ ।

ପୂର୍ବତନ ରାୟପୁର ମେୟର ପ୍ରମୋଦ ଦୁବ୍ବେଙ୍କ ଅଭିଯୋଗ ଆଧାରରେ ରାୟପୁର ସ୍ଥିତ ତ୍ରିକାରାପାରା ପୋଲିସ ଷ୍ଟେସନରେ କାଳୀଚରଣଙ୍କ ନାଁରେ ମାମଲା ରୁଜୁ କରିଛି । ତାଙ୍କ ନାଁରେ ଧାରା ୫୦୫(୨) ଓ ୨୯୪ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ସୂଚନା ଯୋଗ୍ୟ, ରବିବାର ଛତିଶଗଡ଼ ରାୟପୁରରେ ମଧ୍ୟ ଚାଲିଥିଲା ଧର୍ମସଭା । ଦେଶର ଅନେକ ସ୍ଥାନରୁ ଆସିଥାନ୍ତି ସନ୍ଥ ଓ ସାଧୁ  ।  ମହାରାଷ୍ଟ୍ରରୁ ଆସିଥିବା ମହାରାଜ କାଳୀଚରଣ ଉପସ୍ଥିତ ଶ୍ରୋତାଙ୍କୁ ସମ୍ବୋଧନ ଦେଉଥାନ୍ତି  । ଏହି ସମୟରେ ଉପୁଜେ ଅପ୍ରିତୀକର ପରିସ୍ଥିତି  । କାରଣ ମହାରାଜ କାଳୀଚରଣ ଏମିତି କିଛି ବୟାନ ଦେଇଥିଲେ  । ଯାହା ସଭାସ୍ଥଳୀକୁ ଉତ୍ତେଜିତ କରିଦେଇଥିଲା  । ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ନେଇ ଅଶୋଭନୀୟ ମନ୍ତବ୍ୟ ଦେବା ସହ ଗାନ୍ଧିଜୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିଲେ  ।

ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରିଥିଲେ  । ଏମିତିକି ମଞ୍ଚରେ ନାଥୁରାମଙ୍କ ନାମ ଉଚ୍ଚାରଣ କରି ପ୍ରଣାମ ଜଣାଇଥିଲେ ।  ସେପଟେ ଧର୍ମସଭାକୁ ଆସିଥିବା ମହନ୍ତ ରାମସୁନ୍ଦର ଦାସ ମହାରାଜ କାଳୀଚରଣଙ୍କ ବୟାନକୁ ନିନ୍ଦା କରିବା ସହ ମଞ୍ଚ ଛାଡ଼ି ଚାଲିଛାଯାଇଥିଲେ  । ଭାରତ ପାକିସ୍ତାନ ଭାଗବଣ୍ଟାକୁ ନେଇ ସଭାରେ ମନ୍ତବ୍ୟ ଦେଇଥିଲେ ମହାରାଜ କାଲୀଚରଣ ।  ଏଥିପାଇଁ ମହାତ୍ମା ଗାନ୍ଧୀଙ୍କୁ ଦାୟୀ କରିବା ସହ ଖରାପ ଶବ୍ଦ ବ୍ୟବହାର କରିଥିଲେ  । ନାଥୁରାମ ଗଡସେଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ  । ଏହାପରେ  ଆହୁରି ଉତ୍ତେଜିତ ଭାଷଣ ଦେଇଥିଲେ କାଳୀଚରଣ  । ସେ କହିଥିଲେ ପୋଲିସ, ପ୍ରଶାସନ ଆମ ସପକ୍ଷରେ ନାହାଁନ୍ତି  । କାହିଁକି ନା ସେ ଜଣଙ୍କର ଚାକର  । ହିନ୍ଦୁଙ୍କୁ ପୋଲିସ ପ୍ରଶାସନ ସମର୍ଥନ କରେନାହିଁ  ।

ଅନ୍ୟପକ୍ଷରେ ବାବା କାଳୀଚରଣଙ୍କ ବୟାନଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ମହାତ୍ମାଗାନ୍ଧୀଙ୍କ ଏକ ବାର୍ତ୍ତାକୁ ଟ୍ୱିଟ୍ କରି ଏହାର ଜବାବ ରଖିଛନ୍ତି । ଆପଣ ମୋତେ ଶିକୁଳିରେ କଏଦ କରିପାରିବେ, ନିର୍ଯାତନା ଦେଇପାରିବେ ଏହି ଶରୀରକୁ ନଷ୍ଟ କରିପାରିବେ କିନ୍ତୁ ଆପଣ ମୋ ବିଚାରଧାରାକୁ କଏଦ କରିପାରିବେ ନାହିଁ ଲେଖିଛନ୍ତି ।

Leave a Reply