ଅମାନିଆ ଅପରାଜିତାଙ୍କୁ ବଡ଼ଦାଣ୍ଡରେ ତୀବ୍ର ବିରୋଧ, ଟାଉନ ଥାନାରେ ସାଂସଦଙ୍କ ବିରୋଧରେ ଏତଲା

ପୁରୀ: ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ବିରୋଧ । ଟାଉନ ଥାନାରେ ଅପରାଜିତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ଓ ବୁଦ୍ଧିଜୀବୀ । ଅପରାଜିତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀବାସୀ ସ୍ବାଗତ କରୁଛନ୍ତି । ଶ୍ରୀମନ୍ଦିର ବିକାଶ ହେଉଛି, ଏହାକୁ କାହିଁକି ସାଂସଦ ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଅପରାଜିତାଙ୍କ ପଦଯାତ୍ରାକୁ ବିରୋଧ କରି ଟମାଟୋ ମାଡ଼ ହୋଇଛି । ଯୁବ କଂଗ୍ରେସ ପକ୍ଷରୁ ବଡ଼ଦାଣ୍ଡରେ ସାଂସଦଙ୍କୁ ଟମାଟୋ ମାଡ଼ ହୋଇଛି ।

ସୂଚନା ଅନୁସାରେ ଗତକାଲି ଅନୁମତି ନମିଳିବା ସତ୍ତ୍ୱେ ଅଳ୍ପ କିଛି ସମର୍ଥକଙ୍କ ସହ ଭୁବନେଶ୍ବରରୁ ପୁରୀ ପହଞ୍ଚିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କ ସହ କୌଣସି ବିଜେପି ନେତା ସାମିଲ ହୋଇନାହାନ୍ତି । ବିକାଶ ବିରୋଧୀ ରାଜନୀତି କରି ଜଗା ଦର୍ଶନ ଆଳରେ ଅପରାଜିତା ପଦଯାତ୍ରା କରିଛନ୍ତି । ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କରୁଥିବା ବେଳେ ଚନ୍ଦନପୁର ନିକଟରେ ସାଂସଦ ଓ ସମର୍ଥକଙ୍କ ଗାଡି ଅଟକାଇଥିଲା । ସାଂସଦଙ୍କୁ ଏକୁଟିଆ ଶ୍ରୀମନ୍ଦିର ଯିବା ପାଇଁ ପୋଲିସ ଅନୁରୋଧ କରିଥିଲା । ହେଲେ ପୋଲିସ ଅନୁରୋଧକୁ ବେଖାତିର କରିଥିଲେ ଭୁବନେଶ୍ବର ସାଂସଦ ।