ସାରଥୀ ବେଶରେ କୁନି ପିଲା, ଥାନାରେ ଏତଲା

ଭୁବନେଶ୍ବର: ଖଣ୍ଡଗିରି ଅଞ୍ଚଳରେ କୁନି ସାରଥୀ ! ପାଦରେ ତୁଳସୀ ଚଢାଇ ଭଗବାନ ଭାବେ ଚାଲିଛି ପୂଜାର୍ଚ୍ଚନା । ରୋଜଗାର ପାଇଁ ପିଲାଟିକୁ ତା’ର ବାପାମାଆ ଏହିଭଳି ଭଗବାନ ଭାବେ ସଜାଇ ଥିବା ଅଭିଯୋଗ କରିଛନ୍ତି ରାଜ୍ୟ ସମାଜସେବୀ ମହାସଂଘ । ପିଲାଟିର ପାଦରେ ତୁଳସୀ ପତ୍ର ଚଢାଇବା ଧର୍ମ ବିରୋଧୀ କାର୍ଯ୍ୟ ବୋଲି ଅଭିଯୋଗ କରି ଆଜି ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଭରତପୁର ଥାନାରେ ଏତଲା ଦିଆଯାଇଛି । ପିଲାଟି ପ୍ରଭୁ ଜଗନ୍ନାଥଙ୍କ ଅବତାର ବୋଲି ପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି ।

ଖଣ୍ଡଗିରିର ଏକ ଆଶ୍ରମରେ ପୂଜା ପାଉଥିବା ଏହି କୁନି ସାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଛନ୍ତି ଟ୍ରଷ୍ଟି ପାଣ୍ଡବ କୁମାର ପରିଡ଼ା । ସେ କହିଛନ୍ତି, ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ବୟଂ ଶ୍ରୀଜଗନ୍ନାଥ ଏହି ବାଳକ ରୂପରେ ଜନ୍ମ ଗ୍ରହଣ କରିସାରିଛନ୍ତି । ତାଙ୍କ ଭିତରେ ରହିଛି ଅଲୌକିକ ଶକ୍ତି । ଦୁରାରୋଗକୁ ଭଲ କରିବା ପରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା ଯେ ଜଗନ୍ନାଥ ଏହି ପିଲା ରୂପରେ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି । ସେଥିପାଇଁ ତାଙ୍କ ପାଦରେ ମୁଣ୍ଡରେ ତୁଳସୀ ଚଢ଼ାଉଛୁ ବୋଲି ସେ କହିଛନ୍ତି ।

ତେବେ ଏହି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ଆମ ଟିମ ସେଠାରେ ପହଁଚିଥିଲା । କିନ୍ତୁ ସେତେବେଳକୁ ଆଶ୍ରମରେ କୁନି ସାରଥୀ କି ତାଙ୍କ ପରିବାରର କେହି ନଥିଲେ । ଗଣମାଧ୍ୟମକୁ ଆଶ୍ରମ ଭିତରକୁ ଯିବାକୁ ଦିଆଯାଇ ନଥିଲା ।