ନାଟୋର ବଢ଼ୁଛି ବଳ, ସ୍ୱିଡେନ ପରେ ନାଟୋରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଛି ଫିନଲାଣ୍ଡ

ମସ୍କୋ: ଋଷ୍‌ ବିରୋଧରେ ନାଟୋର ବଢ଼ୁଛି ବଳ । ସ୍ୱିଡେନ ପରେ ଏବେ ଫିନଲାଣ୍ଡ ନାଟୋରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଋଷ୍‌ ଆକ୍ରମଣ କଲେ ନାଟୋଠୁ ସମର୍ଥନ ପାଇବା ଆଶାରେ ଏବେ ଛୋଟ ଛୋଟ ରାଷ୍ଟ୍ର ନାଟୋରେ ମିଶିବା ପାଇଁ ମନ ବଳାଉଛନ୍ତି । ଫିନଲାଣ୍ଡ ନାଟୋରେ ମିଶିଲେ ବଡ଼ ଭୁଲ୍‌ କରିବ ବୋଲି ଋଷ ରାଷ୍ଟ୍ରପତି ପୁଟିନ୍‌ ସିଧାସଳଖ ଚେତାବନୀ ଦେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଫିନଲାଣ୍ଡ ସରକାର ।

ନାଟୋରେ ଥିବା ଦେଶର ବୈଦେଶିକ ମନ୍ତ୍ରୀମାନେ ଏନେଇ ଗତକାଲି ଏକ ବୈଠକ କରିଛନ୍ତି । ଫିନଲାଣ୍ଡ ଏବଂ ସ୍ବିଡେନଙ୍କୁ ନାଟୋ ମିଶ୍ରଣ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ସେପଟେ ନାଟୋ କେବଳ ଋଷକୁ ବିରୋଧ ପାଇଁ ଗଠନ ହୋଇନି । ବିଭିନ୍ନ ପ୍ରସଙ୍ଗରେ ନାଟୋ ସଦସ୍ୟ ରାଷ୍ଟ୍ର ଗୁଡିକ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ନାଟୋର ଗଠନ ହୋଇଥିବା ସ୍ବିଡେନର ପ୍ରଧାନମନ୍ତ୍ରୀ କହିଛନ୍ତି । ଯାହା ବିଭିନ୍ନ ଦେଶର ଭବିଷ୍ୟତ ପାଇଁ ସୁଫଳ ହେବ ବୋଲି ସେ କହିଛନ୍ତି ।