ଛେପ ପକାଇଲେ ଗଣିବେ ଟଙ୍କା,ଫାଇନ୍ ଦର ୨୦୦ରୁ ଆରମ୍ଭ ୫ଶହରେ ଶେଷ

ଭୁବନେଶ୍ୱର: ରାଜ୍ୟ କରୋନା ସହ ଯୁଦ୍ଧ ଲଢୁଛି । ଏହି ଯୁଦ୍ଧରେ ସରକାର ଲୋକଙ୍କ ସହଯୋଗ ଲୋଡୁଛନ୍ତି । ସାମାଜିକ ଦୂରତା ସହ ସ୍ୱଛତା ଉପରେ ଗୁରୁତ୍ୱ ଦିଆଯାଉଛି । ବାରମ୍ବାର ହାତ ଧୋଇବା କିଛି ଲୋକଙ୍କ ଅଭ୍ୟାସ ହୋଇସାରିଲାଣି । କିନ୍ତୁ ଘରେ ହାତ ଧୋଉଥିବା ଲୋକ ରାସ୍ତା ଉପରେ ଛେପ ପକାଇବା ବନ୍ଦ କରି ନାହାନ୍ତି । ଏଭଳି ଲୋକଙ୍କ ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛେପ ପକାଇବାକୁ ଅପରାଧା ଘୋଷଣା କରିଛନ୍ତି ।

ରାସ୍ତାରେ ଛେପ ପକାଇଲେ ଏଥର ଜରିମାନା ଦେବାକୁ ପଡିବ । ପ୍ରଥମ ତିନିଥର ପାଇଁ ଫାଇନ୍ ୨ଶହ ଟଙ୍କା ଥିବା ବେଳେ ତା’ପରେ ଆଇନଭଙ୍ଗ କଲେ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୁକ୍ରବାର ଏସମ୍ପର୍କରେ ଘୋଷଣା କରିଛନ୍ତି ।

ରାଜ୍ୟବ୍ୟାପି ଏହି ନିୟମ ଲାଗୁ ହେବା ପୂର୍ବରୁ ଗଂଜାମରେ ଏହା ଲାଗୁ ହୋଇ ସାରିଥିଲା । ଗଂଜାମ ପରେ ପରେ ବାଲଶ୍ୱରରେ ମଧ୍ୟ ରାସ୍ତାଘାଟରେ ଛେପ ପକାଇଲେ ଫାଇନ ଦେବାକୁ ପଡିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା ।

Leave a Reply