ଫାଇନାନ୍ସିଆଲ ଏକ୍ସପ୍ରେସ ସମ୍ପାଦକ ସୁନିଲ ଜୈନଙ୍କ କରୋନାରେ ପରଲୋକ

2 min read

ନୂଆଦିଲ୍ଲୀ: ଫାଇନାନ୍ସିଆଲ ଏକ୍ସପ୍ରେସ ମ୍ୟାନେଜିଂ ଏଡିଟର ସୁନିଲ ଜୈନଙ୍କର କରୋନା ସଂକ୍ରମଣ କାରଣରୁ ଶନିବାର ଦିନ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ସୁନିଲଙ୍କୁ ୫୮ ବର୍ଷ ହୋଇଥିଲା । ନୂଆଦିଲ୍ଲୀ ଏମ୍ସରେ ସେ ଚିକିତ୍ସିତ ହେଉଥିଲେ । ମେ’ ୩ ତାରିଖରେ ତାଙ୍କ ସ୍ଥିତି ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୁନିଲଙ୍କ ଭଉଣୀ ସଂଧ୍ୟା ଟ୍ୱିଟ୍ କରି ଏସଂପର୍କରେ ସୂଚନା ଦେଇଛନ୍ତି । ସନ୍ଧ୍ୟାଙ୍କ ଅନୁସାରେ ସୁନିଲ କରୋନାରୁ ସୁସ୍ଥ ହୋଇ ଘରେ ଥିଲେ । ତେବେ ଶନିବାର ଦିନ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ଏମ୍ସ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ଉଦ୍ୟମରୁ ସେ ଠିକ୍ ହୋଇଥିଲେ କିନ୍ତୁ ରାତି ୮.୩୦ରେ ଦ୍ୱିତୀୟ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନିଲ ଜୈନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ, ଭାରତ ଜଣେ ଉତ୍ତମ ସାମ୍ବାଦିକଙ୍କୁ ହରାଇଛି । ମୁଁ ତୁମର ନିବନ୍ଧର ଅଭାବ ଅନୁଭବ କରିବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସୁନିଲ ଜୈନଙ୍କ ପରଲୋକରେ ଶୋକବ୍ୟକ୍ତ କରି ଟ୍ୱିଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

Leave a Reply