ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ, ଋଣ ଭାରରେ ବୁଡ଼ିନି ଓଡ଼ିଶା

1 min read

ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି। ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି। ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ହାର ୨୨ ହଜାର ୪୨ ଟଙ୍କା ଥିବା ବେଳେ, ମୁଣ୍ଡ ପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି । ୧୯୯୯ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ଥିଲା ୪ ହଜାର ୯୧୮ ଟଙ୍କା । ଏଥିସହ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା ।

ତେବେ ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଓ ସୁଚିନ୍ତିତ ଯୋଜନା ଯୋଗୁ ବିତ୍ତୀୟ ପରିଚାଳନାରେ ଦେଶରେ ଏକ ନମ୍ବର ହୋଇଛି ଓଡ଼ିଶା । ୧୯୯୯ ମସିହା ତୁଳନାରେ ୨୦୨୨ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଆୟ ୫.୮ ଗୁଣ ବୃଦ୍ଧି ପାଇଛି । ସରକାରୀ କର୍ମଚାରୀଙ୍କ ଜିପିଏଫ ଉଠାଣରେ କୌଣସି ଅସୁବିଧା ନାହିଁ । ଏଥିପାଇଁ ଇ-ଟ୍ରେଜେରୀ ଓ ଇ-ଭାଉଚର ବ୍ୟବସ୍ଥା ହୋଇଛି ।

ସରକାରୀ କର୍ମଚାରୀଙ୍କ ଜିପିଏଫ ଜମା ଉପରେ ସୁଧ ଦେଉଛନ୍ତି ସରକାର । ରାଜ୍ୟ ସରକାର ଋଣ ଭାର ପୋଷଣୀୟ ସ୍ଥିତି ରଖିଥିବା ବେଳେ, କେନ୍ଦ୍ରର ଋଣ ଭାର ଲକ୍ଷ ଲକ୍ଷ କୋଟିରେ ରହିଛି। କେନ୍ଦ୍ର ବଜେଟର ୨୫ ପତିଶତ ଏବେ ଋଣ ପରିଶୋଧରେ ଖର୍ଚ୍ଚ କରାଯାଉଛି ବୋଲି କହିଛନ୍ତି ନିରଞ୍ଜନ ପୂଜାରୀ।