ଖାଦ୍ୟ ପଦାର୍ଥ ଜିଏସଟି ଅନ୍ତର୍ଭୁକ୍ତ ନେଇ ଅର୍ଥମନ୍ତ୍ରୀଙ୍କ ସଫେଇ, ସବୁ ରାଜ୍ୟର ସହମତିରେ ହୋଇଛି ନିଷ୍ପତ୍ତି

1 min read

ନୂଆଦିଲ୍ଲୀ: ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲାଗୁକୁ ଦେଶବ୍ୟାପୀ ବିରୋଧ ପରେ ଏବେ ସଫେଇ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିଛି ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀର ସୂଚୀ ଟ୍ୱିଟ କରି ସୂଚନା ଦେଇଛନ୍ତି ସୀତାରମଣ । ଅର୍ତମନ୍ତ୍ରୀ ସୂଚୀ ଟ୍ୱିଟ କରି ଲେଖିଛନ୍ତି, ଏହି ସବୁ ଖାଦ୍ୟ ପଦାର୍ଥକୁ ଖୋଲାରେ ବିକିଲେ କୌଣସି ପ୍ରକାର ଜିଏସଟି ଶୁଳ୍କ ଲାଗିବ ନାହିଁ ।

ଅର୍ଥମନ୍ତ୍ରୀ ଯେଉଁ ସୂଚୀ ଟ୍ୱିଟ କରିଛନ୍ତି ସେଥିରେ ଡାଲି, ଗହମ, ମକା, ଚାଉଳ, ସୁଜି, ବେସନ, ମୁଢି, ଲସି, ଓଟସ ଭଲି ସାମଗ୍ରୀ ସାମିଲ ରହିଛି । ଅର୍ଥମନ୍ତ୍ରୀ ଟ୍ୱିଟରେ କହିଛନ୍ତି, ଯଦି ବିନା ପ୍ୟାକିଂରେ ଏହି ସାମଗ୍ରୀ ବିକ୍ରୀ ହେଉଛି ତେବେ ଏହା ଉପରେ ଶୁଳ୍କ ଲାଗିବ ନାହିଁ । ଯଦି ଏହା ପ୍ୟାକିଂ ଓ ଲେବଲ ସହ ବିକ୍ରୀ ହେଉଛି ତେବେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗିବ । ଅର୍ଥମନ୍ତ୍ରୀ ଆଗକୁ କହିଛନ୍ତି, ଏହି ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲଗାଇବା ନିଷ୍ପତ୍ତି କୌଣସି ଗୋଟିଏ ବ୍ୟକ୍ତି ନୁହେଁ ବରଂ ସମ୍ପୂର୍ଣ୍ଣ ଜିଏସଟି ପରିଷଦ ଏକ ପ୍ରକ୍ରିଆ ଆଧାରରେ ଏହି ନିଷ୍ପତ୍ତି ନେଇଥିଲା ।

ଅର୍ଥମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଟ୍ୱିଟ କରି ୧୪ଟି ଟ୍ୱିଟ କରିଛନ୍ତି । ଟ୍ୟାକ୍ସ ଲିକେଜକୁ ରୋକିବା ପାଇଁ ଏହି ନିଷ୍ପତ୍ତି ଜରୁରୀ ଥିବା କଥା କହିଛନ୍ତି ସୀତାରମଣ । ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ ବୈଠକ ଓ ବିଚାର ବିମର୍ଶ ପରେ ଏହି ପରାମର୍ଶ ଦିଆଯାଇଥିଲା । ଅଣ ବିଜେପି ଶାସିତ ରାଜ୍ୟ ଯେମିତିକି ଛତିଶଗଡ଼, ପଶ୍ଚିମବଙ୍ଗ, ତେଲେଙ୍ଗାନା, କେରଳ ରାଜସ୍ଥାନ ଭଳି ଅଣ ବିଜେପି ଶାସିତ ରାଜ୍ୟର ପ୍ରତିନିଧିମାନେ ମଧ୍ୟ ବୈଠକରେ ସାମିଲ ହୋଇଥଲେ । ସମସ୍ତଙ୍କ ସହମତି କ୍ରମେ ଖାଦ୍ୟ ଓ ପାନୀୟ ସାମଗ୍ରୀ ଉପରେ ଜିଏସଟି ଲାଗୁ କରିବା ନିଷ୍ପତ୍ତି ନିଆଯାଇଥିଲା ।

ଶେଷରେ ଅର୍ଥମନ୍ତ୍ରୀ କହିଛନ୍ତି, ନିକଟରେ ହୋଇଥିବା ଜିଏସଟି ପରିଷଦର ୪୭ତମ ବୈଠକରେ ଡାଲି, ଚାଉଳ ଏବଂ ଅଟା ଉଫରେ ବିଶେଷ ପରିସ୍ଥିତିରେ ଜିଏସଟି ଲଗାଇବାର ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହି ସମ୍ବନ୍ଧରେ ଗୁଜବ ବ୍ୟାପିଥିଲା । ଏହାକୁ ଦୂର କରିବା ଏବଂ ଲୋକଙ୍କୁ ସଠିକ ସୂଚନା ଦେବା ପାଇଁ ଏହି ସୂଚୀକୁ ସେୟାର କରିଛି ।