ତୈଳ ଦର ପାଇଁ ୟୁପିଏ ସରକାରଙ୍କୁ ଦାୟୀ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଦର ଲଗାତାର ବଢିବାରେ ଲଗିଛି । ଆଉ ଏହି ଦର ବୃଦ୍ଧି ପାଇଁ ସରକାର ଋଷ ଓ  ୟୁପିଏ ସରକାରଙ୍କୁ ଦାୟୀ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୟୁପିଏ ସରକାର ତେଲ ନେଇ ଯେଉଁ ଚୁକ୍ତି କରିଥିଲା ଏବଂ ଋଷ ଓ ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପେଟ୍ରୋଲ ଡିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଉଛି ।

ଅର୍ଥମନ୍ତ୍ରୀ ରାଜ୍ୟସଭାରେ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ବିଶ୍ୱ ବଜାରରେ ଯୋଗାଣରେ ବଧା ହେଉଥିବାରୁ କିଛି ସପ୍ତାହ ଧରି ତୈଳ ଦର ବୃଦ୍ଧି ପାଉଛି । ଏହା ବ୍ୟତୀତ ପୂର୍ବ ୟୁପିଏ ସରକାର ଦେଇଥିବା ୨ ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ ବା ଚୁକ୍ତି କାରଣରୁ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପଡୁଛି । ତେବେ ଏହାର ମୁକାବିଲା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି।

୨୦୨୬ ସୁଦ୍ଧା ପ୍ରଭାବ ପଡ଼ିବ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ତୈଳ ଚୁକ୍ତି ଅନୁସାରେ ୨୦୨୬ ସୁଦ୍ଧା ସମସ୍ତ ସୁଧ ଦେବାକୁ ପଡିବ । ଆଉ ଏହାର ସିଧାସଳଖ ପ୍ରଭାବ କରଦାତା ଉପରେ ପଡ଼ିବ । ଏକ ଦଶନ୍ଧି ପୂର୍ବରୁ ୟୁପିଏ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ତୈଳ ଚୁକ୍ତି କାରଣରୁ ଗ୍ରାହକମାନଙ୍କୁ ଏବେ ବି ଏହାଇ ଭରଣା କରିବାକୁ ପଡ଼ୁଛି । ଫଳସ୍ୱରୂପ ଖୁଚୁରା ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଉଛି ।