ରତ୍ନଭଣ୍ଡାର ଖୋଲିବା ନେଇ ୬ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି, ନୂଆ କମିଟି ଗଠିତ

ଭୁବନେଶ୍ବର: କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ନିର୍ବାଚନ ସମୟରେ ବିଜେପି ରତ୍ନଭଣ୍ଡାର ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲା । ଏବେ ବିଜେପି ରାଜ୍ୟରେ ସରକାର ଗଠନ କରିଥିବା ବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଖୋଲିବ ରତ୍ନଭଣ୍ଡାର ।

ରତ୍ନଭଣ୍ଡାର ଖୋଲିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରତ୍ନଭଣ୍ଡାର ପାଇଁ ୧୬ ଜଣିଆ କମିଟି ଗଠନ ହୋଇଛି । ଜଷ୍ଟିସ ବିଶ୍ୱନାଥ ରଥ ଏହି କମିଟିର ଅଧ୍ୟକ୍ଷ ରହିବେ । କମିଟିର ବୈଠକ ଆସନ୍ତା ୬ ତାରିଖରେ ପୁରୀରେ ବସିବାକୁ ଯାଉଛି । ରତ୍ନଭଣ୍ଡାର କେବେ ଖୋଲିବ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯିବ ।

ଆଗକୁ ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲାବା ବେଳେ କ’ଣ କ’ଣ କାର୍ଯ୍ୟପନ୍ଥା ରହିବ ତାହା ଉପରେ ବୈଠକରେ ଆଲୋଚନା କରାଯିବା । ଏହାସହ ଅଳଙ୍କାର ମାନ ପରୀକ୍ଷଣ ନେଇ ମଧ୍ୟ କମିଟି ନିଷ୍ପତ୍ତି ନେବ । ମରାମତି ଓ ଗଣନା କାର୍ଯ୍ୟ ନିର୍ଦ୍ଧାରଣ କରିବ କମିଟି । କମିଟିର ନିଷ୍ପତ୍ତି ପରେ ସରକାର ପଦକ୍ଷେପ ନେବେ ।