FIH ପ୍ରୋ ଲିଗ୍ ହକି: ଇଂଲଣ୍ଡକୁ ହରାଇ ଶୀର୍ଷକୁ ଉଠିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

1 min read

ଭୁବନେଶ୍ୱର: ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ସରିବ ଏଫଆଇଏଚ୍ ପ୍ରୋ ଲିଗର ଚଳିତ ସିଜିନ । ଆଜି ଓ କାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ୍ ପ୍ରୋ ଲିଗର ଶେଷ ଦୁଇଟି ମ୍ୟାଚ୍ । ଆଜି କଳିଙ୍ଗର ବ୍ଲୁ ଟର୍ଫରେ ମୁହାଁମୁହିଁ ହେବେ ଇଣ୍ଡିଆ- ଇଂଲଣ୍ଡ । ଏଫଆଇଏଚ୍ ପ୍ରୋ ଲିଗରେ ୮ଟି ମ୍ୟାଚ୍ ଖେଳି ୧୬ ପଏଣ୍ଟ୍ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ଭାରତୀୟ ପୁରୁଷ ହକି ଦଳ । ଏଫଆଇଏଚ୍ ପ୍ରୋ ଲିଗର ପଏଣ୍ଟ ଟେବୁଲରେ ୧୭ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଜର୍ମାନୀ । ତେବେ ଆଜି ଓ ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ  । ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ନେତୃତ୍ୱରେ ଆଜି ସଂନ୍ଧ୍ୟା ୭ଟା ୩୦ରେ ଟର୍ଫକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପୂର୍ବ ଦୋଷ ଦୂର୍ବଳତାକୁ ସୁଧାରି ଇଂଲଣ୍ଡ ଦଳକୁ ଟକ୍କର ଦେବ ବୋଲି କହିଛନ୍ତି ଅଧିନାୟକ ଅମିତ ରୋହିଦାସ ।

ଭାରତ ଶେଷ ଥର ପାଇଁ ଇଂଲଣ୍ଡକୁ ଗତବର୍ଷ ଟୋକିଓ ଅଲମ୍ପିକ୍ସ କ୍ୱାଟର ଫାଇନାଲରେ ଭେଟିଥିଲେ । ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୩-୧ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ବିଶ୍ୱ ମାନ୍ୟତାରେ ଇଂଲଣ୍ଡ ସପ୍ତମ ସ୍ଥାନରେ ରହିଥିବାବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।