ବାୟୁସେନା ବିମାନ ଦୁର୍ଘଟଣା : ଦୁଇ ପାଇଲଟ୍ ସୁରକ୍ଷିତ, ଜଣଙ୍କ ତଲାସ ଜାରି

1 min read

ମୋରେନା : ମଧ୍ୟପ୍ରଦେଶର ମୋରେନାରେ ଦୁର୍ଘଟଣାଗ୍ରସ୍ତ ଦୁଇ ବିମାନର ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି । ଅନ୍ୟପକ୍ଷରେ ତୃତୀୟ ପାଇଲଟଙ୍କ ତଲାସ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ମୋରେନା ଜିଲ୍ଲାରେ ବାୟୁସେନାର ସୁଖୋଇ-୩୦ ଓ ମିରାଜ-୨୦୦୦ ବିମାନ ଶନିବାର ସକାଳେ କ୍ରାସ୍ ହୋଇଥିଲା । କୁହାଯାଉଛି ଯେ, ଅଭ୍ୟାସ ସମୟରେ ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବିମାନର ପାଇଲଟ୍ ମାନେ ବାହାରି ଯାଇଥିଲେ। ସୁଖୋଇରେ ଦୁଇ ଜଣ ପାଇଲଟ୍ ଥିବା ବେଳେ ମିରାଜରେ ଜଣେ ପାଇଲଟ୍ ଥିଲେ । ସୁଖୋଇର ଦୁଇ ପାଇଲଟ୍ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ମିରାଜ୍ ପାଇଲଟଙ୍କ ତଲାସ ଜାରି ରହିଛି ।

ବାୟୁସେନା ହେଲିକପ୍ଟର ତୃତୀୟ ପାଇଲଟଙ୍କ ଲୋକେସନରେ ପହଞ୍ଚିଥିବା ସୂଚନା ମିଳୁଛି । ଗୋଟିଏ ଲଢୁଆ ବିମାନ ମୋରେନା ଜିଲ୍ଲାର ପହାଡଗଡର ବିକାଶଖଣ୍ଡରେ ପଡ଼ିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆକାଶରେ ଥିବା ବେଳେ ବିମାନରେ ନିଆଁ ଲାଗିଯାଇଥିଲା ଓ ଏହା ତୀବ୍ର ବେଗରେ ତଳକୁ ଖସିଥିଲା । ପାଇଲଟ ବିମାନକୁ ଗାଁଠାରୁ ଦୂରକୁ ନେଇ କ୍ରାସ କରିଥିବା କାରଣରୁ ଅନେକ ଜୀବନ ବଞ୍ଚିଯାଇଛି । ବାୟୁସେନା ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆଦେଶ ଦେଇଛି ।