ଏଣିକି ଭାରତରେ ଉତ୍ପାଦନ ହେବ ଯୁଦ୍ଧ ବିମାନର ଇଞ୍ଜିନ, ଜିଇ ଏରୋସ୍ପେଶ-ହାଲ୍ ମଧ୍ୟରେ ଐତିହାସିକ ଚୁକ୍ତି

1 min read

ୱାଶିଂଟନ: ଜିଇ ଏରୋସ୍ପେଶ ଗୁରୁବାର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଲ) ସହ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ (ଏଲସିଏ)-ଏମକେ-୨ ର ଜେଟ ଇଞ୍ଜିନର ମିଳିତ ଉତ୍ପାଦନ ପାଇଁ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତିକୁ ଐତିହାସିକ ବୋଲି କୁହାଯାଉଛି । ଚୁକ୍ତି ଅନୁଯାୟୀ ଭାରତରେ ତିଆରି ହେବ ଲଢ଼ୁଆ ବିମାନର ଇଞ୍ଜିନ । ତେବେ ଏହି ଚୁକ୍ତିର ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ମହିଳା ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ଆମେରିକା ଗସ୍ତରେ ଯାଇଛନ୍ତି ।

ତେବେ ଆଜିର ଚୁକ୍ତି ସମ୍ପର୍କରେ ସୂଚନା ଦେଇ ଆମେରିକୀୟ କମ୍ପାନୀ ନିଜ ବୟାନରେ କହିଛି, ଏହି ଚୁକ୍ତିରେ ଜିଇ ଏରୋସ୍ପେଶର ଏଫ୍ ୪୧୪ ଇଞ୍ଜିନର ଭାରତରେ ମିଳିତ ଉତ୍ପାଦନର ସମ୍ଭାବନା ସାମିଲ ରହିଛି । କମ୍ପାନୀ ହାଲ ସହ ଚୁକ୍ତି ଜ୍ଞାନକୁ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି । ଜିଇ ଏରୋପ୍ସେଶର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ଜିଇର ଅଧ୍ୟକ୍ଷ ଏଚ ଲରେନ୍ସ କଲ୍ପ ଜୁନିୟର କହିଛନ୍ତି, ଏହି ଐତିହାସିକ ଚୁକ୍ତି ଭାରତ ଏବଂ ହାଲ ସହ ଆମର ଦୀର୍ଘକାଳୀନ ସମ୍ପର୍କ କାରଣରୁ ସମ୍ଭବ ହୋଇପାରିଛି ।

ପ୍ରକାଶଥାଉକି, ଭାରତରେ ଜିଇ ଏରୋସ୍ପେଶ ଇଞ୍ଜିନ, ଆଭିୟୋନିକ୍ସ, ସେବା, ଇଞ୍ଜିନିୟରିଂ, ବିନିର୍ମାଣ ଏବଂ ସ୍ଥାନୀୟ ସୋର୍ସିଂରେ ସଂଲଗ୍ନତା ସହ ୪୦ରୁ ଅଧିକ ବର୍ଷ ହେବ କାମ କରିଆସୁଛି । ଏହା ବ୍ୟତୀତ ୧୯୮୬ରୁ ସେ ଭାରତର ଏଲସିଏ ପ୍ରୋଜେକ୍ଟ ଉପରେ ଏରୋନଟିକାଲ ଡେଭେଲପମେଣ୍ଟ ଏଜେନ୍ସି (ଏଡିଏ) ଏବଂ ହାଲ ସହ ମଧ୍ୟ କାମ କରୁଛି । ଜିଇ ଏବଂ ହାଲ ମଧ୍ୟରେ ହୋଇଥିବା ଏହି ଡିଲ୍ ଭାରତୀୟ ଏୟାରଫୋର୍ସର ହାଲୁକା ଯୁଦ୍ଧ ବିମାନ ବନାଇବାର ପ୍ରୋଗ୍ରାମ ଏମକେ୨ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ଭାରତ ଏବଂ ଆମେରିକୀୟ କମ୍ପାନୀ ମଧ୍ୟରେ ଅନେକ ଚୁକ୍ତି ହେବ ।