spot_img

Latest Posts

କଂଗ୍ରେସରେ ବିଦ୍ରୋହର ନିଆଁ: ଭକ୍ତଙ୍କ ବିଭୀଷଣ ବୟାନ ପରେ ନିରଂଜନଙ୍କ ରାବଣ ବାଣ

କଂଗ୍ରେସରେ ବିଦ୍ରୋହର ନିଆଁ । ଭକ୍ତଙ୍କ ବିଭୀଷଣ ବୟାନ ପରେ ନିରଂଜନଙ୍କ ରାବଣ ବାଣ । ମୋକିମଙ୍କ ସପକ୍ଷରେ ବାହାରିଲେ ଜୟଦେବ ଜେନା । ୨୩ରେ ବସିବ ପରାଜୟ ସମୀକ୍ଷା ବୈଠକ । କଂଗ୍ରେସରେ ରାବଣ କିଏ ? କିଏ ଚାହୁଁଛି କଂଗ୍ରେସ ଭଳି ସୁନାର ଲଙ୍କାକୁ ଜାଳିପୋଡି ଛାରଖାର କରିବାକୁ ? ନୂଆପଡା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ପିସିସି ସଭାପତିଙ୍କ ବିଭୀଷଣ ମନ୍ତବ୍ୟ ଏବେ ଦଳରେ ହଇଚଇ ସୃଷ୍ଟି କରିଥିବାବେଳେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ରାବଣ ଉପାଖ୍ୟାନ ଏବେ ରାଜ୍ୟ କଂଗ୍ରେସ ରାଜନୀତିକୁ ହଲଚଲ କରିଛି । ନିରଂଜନଙ୍କ ଯୁକ୍ତି ହେଉଛି କଂଗ୍ରେସରେ ଯଦି ବିଭୀଷଣ ଅଛନ୍ତି, ତାହାଲେ ରାବଣ କିଏ ? ବିଭୀଷଣ ଯଦି ଚିହ୍ନଟ ହେବେ ତେବେ ରାବଣ କିଏ ତାହା ବି ଚିହ୍ନଟ ହେବା ଦରକାର। ବିଭୀଷଣ ଯଦି ଅଛନ୍ତି ତାହାଲେ ରାବଣ ବି ଦଳରେ ଅଛନ୍ତି । ସିଧାସଳଖ ନହେଲେ ବି ପରୋକ୍ଷରେ ସେ ପିସିସି ସଭାପତିଙ୍କୁ ତେରେଛା ବାଣ ମାରିଛନ୍ତି ନିରଂଜନ । ନିଜ ଘର ନସଜାଡି ବାହାର ଲୋକଙ୍କୁ ଦାୟୀ କରିବା ଠିକ୍ ନୁହେଁ । ଆମର ନେତାଙ୍କ କଣ ଭୁଲ ଅଛି ତାହା ଆଗେ ଜାଣିବା କଥା। ବଡ ଠାରୁ ଛୋଟ ନେତା ସମସ୍ତେ ଜାଣିବା ଦରକାର । ସଭାପତି କଂଗ୍ରେସକୁ ମଜଭୁତ କରିବା ପାଇଁ ଉଦ୍ୟମ କରି ସଫଳ ହୋଇନାହାଁନ୍ତି । କଂଗ୍ରେସ ସଂଗଠନ ତୃଣମୂଳ ସ୍ତରରୁ ଦୁର୍ବଳ ଅଛି ବୋଲି ତାହାର ପରିଣାମ ଦଳ ଭୋଗିଲା ବୋଲି ନିରଂଜନ କହିଛନ୍ତି ।

ପିସିସି ସଭାପତି ଭକ୍ତ ଦାସ ଓ ମହମ୍ମଦ ମୋକିମଙ୍କ କଳି ନେଇ ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ତାଙ୍କ ଯୁକ୍ତି ହେଉଛି ମହମ୍ମଦ ମୋକିମ ଭାଇଚାରରେ ବିଶ୍ବାସ ରଖି ରାଜନୀତି କରୁଛନ୍ତି । ହିଂସା ପାଇଁ ମୋକିମ ନୂଆପଡ଼ା ନଯିବା କଥା ଠିକ୍ ନୁହେଁ । ମୋକିମ ସବୁବେଳେ କଂଗ୍ରେସକୁ ଏକଜୁଟ କରିବା ଓ ଆଗକୁ ନେବା ପାଇଁ ଚେଷ୍ଠା କରନ୍ତି । ଭକ୍ତ ମୋକିମ ବିବାଦ ନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ପିସିସି ସଭାପତି ତାଙ୍କ ହୃଦୟର କଥା କହିଛନ୍ତି । କିଏ ଆମ ଭିତରେ ବିଭୀଷଣ ? ମୋକିମ ହେଉଛନ୍ତି କଂଗ୍ରେସ ପିଲର । ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ବି ଦଳର ଶକ୍ତି । ପିସିସି ସଭାପତି କହିଛନ୍ତି ସମସ୍ତଙ୍କୁ ସାଙ୍ଗରେ ନେଇ କଂଗ୍ରେସକୁ ମଜଭୁତ କରାଯିବ। ଖୁବଶୀଘ୍ର କଂଗ୍ରେସର ବରିଷ୍ଠ ନେତାମାନେ ଏକାଠି ହୋଇ ବୈଠକ କରିବେ । ସବୁ ସମସ୍ୟାର ସମାଧାନ କରାଯିବ ।

ନୂଆପଡା ପରାଜୟ ପରେ କଂଗ୍ରେସ କଳି ବଢୁଥିବାରୁ ଆସନ୍ତା ୨୩ ତାରିଖରେ ପରାଜୟର ସମୀକ୍ଷା କରିବ ଦଳ । ଦୁଇଟି ପର୍ଯ୍ୟାୟରେ ଦଳର ମଙ୍ଗୁଆଳମାନେ ମାନସମନ୍ଥନ କରିବେ । ୧୪୦ ବର୍ଷର ପୁରୁଣା ଦଳରେ ପୌରାଣିକ ଚରିତ୍ରକୁ ନେଇ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକଯୁଦ୍ଧ ଆଗକୁ ଥମିବ ନା ବଢିବ ତାହା ଉପରେ ରହିଛି ନଜର ।

Latest Posts

Don't Miss