ନବରଙ୍ଗପୁର ବିଜେପି ଦୁଇଫାଳ: ସାଂସଦ ଓ ବିଧାୟକ ପ୍ରତିନିଧି ହାତାହାତି

1 min read

ଚନ୍ଦାହାଣ୍ଡି: ସାଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧି ହାତାହାତି । ଥାନାକୁ ଗଲା କଥା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ନବରଙ୍ଗପୁର ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ପ୍ରତିନିଧି ତଥା ସାଂସଦଙ୍କ ନିଜ ଭାଇ ଏବଂ ଝରିଗାଁ ବିଧାୟକ ବିଜେପି ନରସିଂହ ଭତ୍ରାଙ୍କ ପ୍ରତିନିଧି ପ୍ରତାପ ବାଘ ହାତାହାତି ଓ ମାର ପିଟ ହୋଇଛନ୍ତି । ଉଭୟ ପକ୍ଷକୁ ପୋଲିସର ପଚରା ଉଚରା କରିଛି ।

ଆଜି ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ସରିବା ପରେ ବିଧାୟକଙ୍କ ପ୍ରତିନିଧି ପ୍ରତାପ ବାଘ ବ୍ଲକରୁ ଫେରିବା ସମୟରେ ସାଂସଦଙ୍କ ଭାଇ ତଥା ତାଙ୍କ ପ୍ରତିନିଧି ବସନ୍ତ ମାଝୀ ବ୍ଲକ କାର୍ଯ୍ୟାଳୟ ଫାଟକ ସାମ୍ନାରେ ପ୍ରତାପଙ୍କ ଗାଡ଼ିକୁ ଅଟକାଇଥିଲେ । ପରେ ପ୍ରତାପଙ୍କୁ ଏକ ମୁଥ ମାରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହାତା ହାତି ଆରମ୍ଭ ହୋଇଯାଇଥିଲା l ଉଭୟଙ୍କ ସମର୍ଥନକଙ୍କ ମଧ୍ୟରେ ଗଣ୍ଡଗୋଳ ବି ଆରମ୍ଭ ହୋଇଯାଇଥିଲା । ଖବର ପାଇ ଚନ୍ଦାହାଣ୍ଡି ଥାନା ଏଏସଆଇ ଲାବଣ୍ଯ ବେମାଲ ଓ ଏସଆଇ ଖଗେଶ୍ବର ଖୋସଲା ଘଟଣା ସ୍ଥଳରେ ପହଞ୍ଚିଥିଲେ । ଘଟଣା ସମ୍ପର୍କରେ ପଚରା ଉଚରା ପାଇଁ ଥାନାକୁ ଡକାଇଥିଲେ । ବର୍ତ୍ତମାନ ସୁଦ୍ଧା ଗଣ୍ଡଗୋଳର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏହା ଦଳୀୟ ଅନ୍ତର୍ଦ୍ଵନ୍ଦ୍ବ କିମ୍ବା ଠିକା କାମ ବଣ୍ଟନ ପାଇଁ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି ।