ବାଲିଆପାଳରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

1 min read

ବାଲିଆପାଳ ଥାନା ଅନ୍ତର୍ଗତ କଟ୍ରାମହଲ ଗାଁରେ ଗଣ୍ଡଗୋଳ ଭୀଷଣ ରୂପ ନେଇଛି । କଟ୍ରାମହଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ୟକ୍ତିଗତ ଗୃହ ନିର୍ମାଣକୁ ନେଇ ଗଣ୍ତଗୋଳ ଓ ମାରପିଟ୍ ଉଗ୍ରରୂପ ଧାରଣ କରିଛି । ସେହି ଗାଁର ଭାନୁଚରଣ ଦଳେଇ କଟ୍ରାମହଲ ସ୍କୁଲ ପାଖରେ ସ୍କୁଲ ଜମିରେ ଘର ନିର୍ମାଣ କରିବାକୁ ଗାଁ ଲୋକ ବିରୋଧ କରିଥିଲେ । ଏହାକୁ ନେଇ ପୂର୍ବରୁ ବହୁବାର ଗାଁ ଲୋକଙ୍କ ସହ ଭାନୁଙ୍କର ମତାନ୍ତର ହୋଇଥିଲା । ଆଜି ସକାଳେ ଭାନୁଚରଣ ସ୍କୁଲ ଜମିରେ ଘର ତିଆରି କରୁଥିବା ବେଳେ ଏହାକୁ ବିରୋଧ କରିଥିଲେ ଗାଁ ଲୋକ । ମାତ୍ର ଭାନୁ ବିରୋଧକୁ ଖାତିର ନକରି ଗାଁ ଲୋକଙ୍କ ସହ ବଚସା କରିଥିବା ଅଭିଯୋଗ ହୋଇଛି । ଏପରିକି ଗାଁ ଲୋକେ ଆସିବା ଜାଣି ପୂର୍ବରୁ ପ୍ରସ୍ତୁତ କରି ରଖିଥିବା କଞ୍ଚାଲଙ୍କା ପାଣିକୁ ଗାଁ ଲୋକଙ୍କ ଉପରେ ଫିଙ୍ଗିଥିଲେ । ଗାଁ ଲୋକଙ୍କ ସହ ଭାନୁ ଓ ତାଙ୍କ ଭାଇଙ୍କର ଜୋରଦାର ହୋଇଥିଲା ମାରପିଟ୍  । କିଛି ଭଡ଼ାଟିଆ ଗୁଣ୍ଡାଙ୍କୁ ଆଣି ଗାଁ ଲୋକଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।  ଉଭୟ ପକ୍ଷର ମାରପିଟରେ ଗାଁର ରାମଚନ୍ଦ୍ର ଗିରି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏଥିରେ ୭ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ଥିତି ଅଣାୟତ୍ତ ହେବାରୁ ବସ୍ତା ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭାନୁଚରଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୧୨୫/୧୯ରେ ବାଲିଆପାଳ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏ ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଏବେବି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ')}

Leave a Reply