ଦିଲ୍ଲୀରେ ବିଜେପି ବିଧାୟକ

1 min read
Fight Between Mohan Majhi And Jay Narayan Mishra Of BJP For Opposition Leader

ଭୁବନେଶ୍ୱର: ବିଜେପିକୁ ପୁଣି ଘାରିଛି ପୁରୁଣା ରୋଗ । କିଏ ହେବ ବିଧାୟକ ଦଳର ନେତା ? ବିରୋଧୀ ଦଳ ନେତା ପଦରେ କିଏ ବସିବ ? ଏହାକୁ ନେଇ ଏବେ ଦଳରେ ଆରମ୍ଭ ହୋଇଛି ଛକି-ଶୂନ ଖେଳ । ଚାଲିଛି ବଳ କଷାକଷି । ବିରୋଧୀ ଦଳ ନେତା ଦୌଡ଼ରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଓ ମୋହନ ଚରଣ ମାଝୀ ଥିବା ଚର୍ଚ୍ଚା ଜୋର ଧରିଛି । ବିଜେପିର ଏ ଦୁଇ ନେତା ବିରୋଧୀ ଦଳ ନେତା ପଦ ଅକ୍ତିଆର କରିବାକୁ ନିଜର ଲବିକୁ ଜୋରଦାର କରିଛନ୍ତି । ଏ ଦୁଇ ନେତାଙ୍କ ପାଇଁ ହାଇକମାଣ୍ଡଙ୍କ ନିକଟରେ ଗୁହାରୀ କରିବାକୁ ବିଜେପିର କିଛି ବିଧାୟକ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏପଟେ ରାଜ୍ୟ ବିଧାନସଭା ଅଧିବେଶନ ଚାଲିଥିଲା ବେଳେ ତାକୁ ଅଣଦେଖା କରି ବିଜେପି ବିଧାୟକ ନେତା ପଦ ପାଇଁ ଶିଂଘ ଲଢ଼େଇରେ ମାତିଛନ୍ତି । ବିଜେପି ପାଇଁ କ୍ଷମତା ଆଗ, ରାଜ୍ୟ ସ୍ୱାର୍ଥ ପଛ ବୋଳି ରାଜନୈତିକ ମହଲ ମତ ଦେଉଛି ।

ବିଧାନସଭାର ଗତ ବଜେଟ ଅଧିବେଶନ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ଆକ୍ରାନ୍ତ ହୋଇଥିଲେ । କରୋନା ପରବର୍ତ୍ତୀ ଅସୁସ୍ଥତା ପାଇଁ ସେ ଏବେ ନୂଆଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଦୀର୍ଘଦିନର ଅସୁସ୍ଥତା ଏବଂ ଆଗକୁ ପଞ୍ଚାୟତ ଭୋଟ ଥିବାରୁ ବିଜେପି ନୂଆ ବିରୋଧୀ ଦଳ ନେତା ଚୟନ କରିବାକୁ ସ୍ଥିର କରିଛି । ପ୍ରଦୀପ୍ତଙ୍କ ପରେ ଏ ପଦ ମାଡ଼ି ବସିବାକୁ ଜୟ ବନାମ ମୋହନ ଲଢ଼େଇ ଜୋର ଧରିଛି । ବିଜେପିରେ ଏବେ ଗୋଷ୍ଠୀ କନ୍ଦଳ ଜୋର ଧରିଥିଲା ବେଳେ ବିରୋଧୀ ଦଳ ନେତା ପଦକୁ ନେଇ ଟଣାଓଟରା ଦଳର ଫାଟକୁ ଜଳଜଳ କରିଛି ।

ଏଥିସହ ପଢ଼ନ୍ତୁ: ‘ରାଜ୍ୟ ଚୁଲିକି ଯାଉ, ଆମ ଅସ୍ତିତ୍ଵ ଥାଉ’

ରାଜ୍ୟ ଏବେ ବାତ୍ୟା ‘ଜୱାଦ’ର ସମ୍ମୁଖୀନ ହୋଇଥିଲା ବେଳେ ‘ଓମିକ୍ରନ’ର ଭୟ ମଧ୍ୟ ଘାରିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସରେ ଘର ମଞ୍ଜୁର କରୁନାହାନ୍ତି । ରାଜ୍ୟକୁ କେନ୍ଦ୍ରୀୟ ପାଣ୍ଠି ହ୍ରାସ କରି ଚାଲିଛନ୍ତି ବିଜେପି ସରକାର । ଏଭଳି ସଂଗୀନ ସମୟରେ ବିଧାନସଭାରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ବିଜେପି ଆଲୋଚନା କରିବା ବଦଳରେ ଗୃହ ଚଳାଇ ଦେଉନି । ଏପଟେ ବିଜେପିର ନେତା ଚୟନ ପ୍ରସଙ୍ଗ ଦିଲ୍ଲୀ ଦରବାରକୁ ଗଲାଣି । ବିଜେପିର ଘର କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ପଦ୍ମ ଦଳ ବିଧାୟକ ରାଜ୍ୟବାସୀଙ୍କ ଭଲମନ୍ଦ ବୁଝିବା, ନିଜ ଅଞ୍ଚଳ କିମ୍ବା ରାଜ୍ୟର ପ୍ରମୁଖ ସମସ୍ୟା ବିଧାନସଭାରେ ଉଠାଇବା ବଦଳରେ ଦିଲ୍ଲୀ ଯିବାକୁ ପସନ୍ଦ କରିଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ବିଜେପିର କେତେ ଦରଦ ଏଇଥିରୁ ସ୍ପଷ୍ଟ । କଂଗ୍ରେସ ମଧ୍ୟ ବିଜେପି ରାସ୍ତାରେ ବାଟ ଚାଲୁଛି । ଦଳ ବିଜେପିର ବୋଲକରା ଭଳି କାମ କରୁଛି ବୋଲି ରାଜନୈତିକ ମହଲ କହୁଛି ।

ଗତ ବିଧାନସଭା ନିର୍ବାଚନ ପରେ କିଏ ବିଜେପି ବିଧାୟକ ଦଳର ମଙ୍ଗୁଆଳ ହେବ ତାକୁ ନେଇ ଛକାପଞ୍ଝା ଜୋର୍ ଧରିଥିଲା । ବହୁ ଭିଡ଼ା ଓଟରା ପରେ ବିଜେପି ହାଇକମାଣ୍ଡ ପ୍ରଦୀପ୍ତଙ୍କ ନାଁରେ ମୋହର ମାରିଥିଲେ । ଏବେ ପ୍ରଦୀପ୍ତଙ୍କ ଅସୁସ୍ଥତା ପରେ ବିଜେପି ସମାନ ରୋଗରେ ଘାଣ୍ଟି ହେଉଛି ।

Leave a Reply