ସଙ୍କଟ ବେଳେ ବଢ଼ିଛି କଳାବଜାରୀ, ଆମ୍ବୁଲାନ୍ସରେ ନେବା ପାଇଁ ଦାବି କରୁଛନ୍ତି ୫୦ ହଜାର

ଭୁବନେଶ୍ୱର: କରୋନା ସଙ୍କଟ ବେଳେ ବଢ଼ିଛି କଳାବଜାରୀ । ଅକ୍ସିଜେନ ସିଲିଣ୍ଡରଠାରୁ ଆରମ୍ଭ କରି ବେଡ୍, ମେଡିସିନ ଏମିତିକି ଆମ୍ବୁଲାନ୍ସ ସେବା ମିଳିବାରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଲୋକେ । କଠିନ ପରିସ୍ଥିତିରେ କେତେଜଣ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କେଇଁଟା ଟଙ୍କା ପାଇଁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି। ଦିଲ୍ଲୀ ଓ ନୋଏଡ଼ାରେ ଏକ ଷ୍ଟିଙ୍ଗ ଅପୋରେସନରୁ ଧରାପଡ଼ିଛି ଜଣେ ଆମ୍ବୁଲାନ୍ସ ଡ୍ରାଇଇଭରଙ୍କ ଚାଲାକି। ଜଣେ କରୋନା ରୋଗୀଙ୍କୁ ହସ୍ପିଟାଲ ନେବାକୁ ୫୦ ହଜାର ଟଙ୍କା ଦାବି କରୁଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର। ଆମ୍ବୁଲାନ୍ସ ସାଇଜକୁ ଦେଖି ଦର ଧାର୍ଯ୍ୟ କରୁଛନ୍ତି ଡ୍ରାଇଭର।

ଦିଲ୍ଲୀର ଜିଟିବି ହସ୍ପିଟାଲ ବାହାରେ ଥିବା ଛୋଟ ଆମ୍ବୁଲାନ୍ସରେ ରୋଗୀ ନେବା ପାଇଁ ଡ୍ରାଇଭର ୨୫ ହଜାର ଟଙ୍କା ଦାବି କରୁଛନ୍ତି। ଏହାଛଡ଼ା ଆମ୍ବୁଲାନ୍ସରେ ଡାକ୍ତର ଓ ନର୍ସଙ୍କୁ ମଧ୍ୟ ରଖାଯାଉଛି। ରୋଗୀ ସହ ଡାକ୍ତର ରହିଲେ ୩୦ ହଜାର ଓ ନର୍ସ ରହିଲେ ୨୨ ହଜାର ଚାର୍ଜ କରୁଛନ୍ତି ଡ୍ରାଇଭର। କରୋନାରେ ଛଟପଟ ହେଉଥିବା ରୋଗୀଙ୍କ ସମ୍ପର୍କୀୟ ବାଧ୍ୟ ହୋଇ ଛଢ଼ା ଦର ଦେଇ ଆମ୍ବୁଲାନ୍ସ ବୁକ୍ କରୁଛନ୍ତି। କୌଣସି ରୋଗୀଙ୍କଠାରୁ ଆମ୍ବୁଲାନ୍ସ ଡ୍ରାଇଭର ଅଧିକ ଟଙ୍କା ନେଇପାରିବେ ନାହିଁ ବୋଲି ଗତ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଅନେକ ରାଜ୍ୟରେ ଆମ୍ବୁଲାନ୍ସ ଚାଳକମାନେ ଏଭଳି ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟୁ ଥିବା ଦେଖାଯାଉଛି।

Leave a Reply