ଅସୁସ୍ଥ ହେଲେଣି ୫୦% ଆନ୍ଦୋଳନରତ ଚାଷୀ, ଶୁଣୁନାହାନ୍ତି ସରକାର

1 min read
Farmer Protest

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଚାଷୀ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ରାଜ୍ୟର କୃଷକମାନେ ଦିଲ୍ଲୀ ଦରବାରରେ ଖରା-ଶୀତ କାକର ଖାଇ ଆନ୍ଦୋଳନ କରୁଛନ୍ତି । କେବଳ ଦିଲ୍ଲୀ ନୁହେଁ ଦେଶର ପ୍ରାୟ ସବୁ ରାଜ୍ୟରେ ଏବେ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ଆରମ୍ଭ କଲେଣି । କେନ୍ଦ୍ର ସରକାର ଚାଷୀଙ୍କ ଦାବି ପୁରଣ କରୁନଥିବାରୁ, ନୂଆ କୃଷି ଆଇନ ବିରୋଧରେ ସାରା ଦେଶରେ ଆନ୍ଦୋଳନ ତେଜିବାରେ ଲାଗିଛି ।

ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଦିଲ୍ଲୀରେ ଶୀତ କାକରରେ ୧୪ ଦିନ ହେଲା ରାସ୍ତାରେ ବସି ରହିଛନ୍ତି ଦେଶର ଅନ୍ନଦାତା । ଟିକରି ସୀମାର ହଜାର ହଜାର କୃଷକ ପ୍ରବଳ ଥଣ୍ଡା ସତ୍ତ୍ୱେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ଭିତରେ ଶୀତ ଓ କୋହଲା ପାଗ ଯୋଗୁଁ ଆନ୍ଦୋଳନରତ କୃଷକଙ୍କ ଶରୀର ଅସୁସ୍ଥ ହେବା ଆରମ୍ଭ ହେଲାଣି ।

Farmers

୫୦ ପ୍ରତିଶତରୁ ଅଧିକ କୃଷକ ଥଣ୍ଡା ଓ ଖାସ ଯୋଗୁଁ ନୟାନ୍ତ ହେଲେଣି । କୋହଲା ପାଗ ଯୋଗୁଁ ବହୁ ଆନ୍ଦୋଳନରତ ଚାଷୀଙ୍କ କାନ ବିନ୍ଧା ରୋଗ ବାହାରିଛି । ଘଟଣାସ୍ଥଳରେ ଏକ ମେଡିକାଲ ଟିମ୍‌ ପହଞ୍ଚି ଚାଷୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ଅସୁସ୍ଥ ଚାଷୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ହୋଇଥିବାରୁ ପ୍ରଶାସନ ଚିନ୍ତାରେ ପଡିଛି । କରୋନା କାଳରେ କୃଷକଙ୍କୁ ଥଣ୍ଡା ଖାସ ଓ ଅସୁସ୍ଥତା ଚିନ୍ତାଜନକ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେମାନଙ୍କୁ ମାଗଣାରେ ଆୟୁର୍ବେଦିକ ଔଷଧ ଦିଆଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଚାଷୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଲୋଚନା ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ । ଚାଷୀଙ୍କୁ ମନେଇପାରିଲେନି ଶାହ । କୃଷି ଆଇନ ରଦ୍ଦ କରିବାକୁ ନାରାଜ ଗୃହରାଷ୍ଟ୍ରମନ୍ତ୍ରୀ । ଆଜି ଆଉ ବସିବନି ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ । ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଆଜି ଏକ ପ୍ରସ୍ତାବ ଦିଆଯିବ । ପ୍ରସ୍ତାବ ଉପରେ ଆଲୋଚନା ପରେ ସିଂଘୁ ବର୍ଡରରେ କିଷାନ ତୟାର କରିବେ ରଣନୀତି ।

ତେବେ ଶାହଙ୍କ ସହ ବୈଠକରେ ୧୩ରୁ ଅଧିକ ଚାଷୀ ସଂଗଠନର ନେତା ଯୋଗଦେଇଥିଲେ । ଶାହଙ୍କ ସହ ବିଳମ୍ବିତ ରାତି ଯାଏ ସେମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କକରିଥିଲେ । ହେଲେ ଶେଷରେ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଚାଷୀମାନେ ଆଇନ ରଦ୍ଦ କରିବାକୁ ଦାବି କରିବାରୁ ସରକାର ଚିନ୍ତାରେ ପଡିଛନ୍ତି ।

Leave a Reply