ଆଜିଠୁ ଫିଫା ବିଶ୍ବକପ୍ ମହାସମର
କତାର: ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପ ୨୦୨୨ । ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଟିମ ଗୁଡିକୁ ୮ଟି ଗ୍ରୁପରେ ଭାଗ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ଲିଗ୍ ମ୍ୟାଚ ଖେଳାଯିବ । ଭଲ ପ୍ରଦର୍ଶନ କରିଥିବା ୧୬ ଟିମ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବେ । ପ୍ରାୟ ଏକ ମାସ ଯାଏଁ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଆସନ୍ତା ଡିସେମ୍ବର ୧୮ରେ ଖେଳାଯିବ । ପ୍ରଥମ ମ୍ୟାଚ ଆୟୋଜକ କତାର ଓ ଇକ୍ବେଡର ମଧ୍ୟରେ ଖେଳାଯିବ ।
ବିଶ୍ବକପରେ ମୋଟ ୮ଟି ଷ୍ଟାଡିୟମରେ ଖେଳ ହେବ । ଏହା ମଧ୍ୟରୁ ୬ଟି ଷ୍ଟାଡିୟମକୁ ସଂପୂର୍ଣ୍ଣ ନୂଆ ତିଆରି କରାଯାଇଛି ଓ ୨ଟି ଷ୍ଟାଡିୟମର ନବୀକରଣ କରାଯାଇଛି । ଏଥିପାଇଁ ୬ରୁ ୧୦ ବିଲିୟନ ଡଲାର ମଧ୍ୟରେ ବ୍ୟୟ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଫିଫା ବିଶ୍ବକପ୍ ୨୦୨୨ର ଉଦଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ବ କରିବେ ।
ମଧ୍ୟପ୍ରାଚ୍ୟ ତଥା ପଶ୍ଚିମ ଏସିଆ ଦେଶ କତାର ଫିଫା ଫୁଟବଲ ବିଶ୍ବକପକୁ ନେଇ ଉତ୍ସବ ମୁଖର ହୋଇପଡିଛି । ଏସୀୟ ମହାଦେଶରେ ଏହି ସମ୍ମାନଜନକ ପ୍ରତିଯୋଗିତା ଦ୍ବିତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି । କତାରର ୮ ଟି ଷ୍ଟାଡିୟମରେ ୬୪ ଟି ମ୍ୟାଚ୍ ଖେଳାଯିବ। ଏଥର ଖେଳିବାକୁ ଯାଉଥିବା ୩୨ ଟିମ ମଧ୍ୟରୁ କେବଳ ୭ଟି ଦଳ ଏପର୍ଯ୍ୟନ୍ତ ଅତି କମରେ ଗୋଟିଏ ଲେଖାଏଁ ବିଶ୍ୱକପ ଟାଇଟଲ ଜିତିଛନ୍ତି ।