ଆବେଦନର ୧୮ ଦିନ ମଧ୍ୟରେ ମିଳିବ ଅଗ୍ନି ସୁରକ୍ଷା ପ୍ରମାଣପତ୍ର
1 min readଭୁବନେଶ୍ୱର: ଏଣିକି ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଯିବାକୁ ପଡ଼ିବନି ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ । ବିଭିନ୍ନ ବାସଗୃହ ଓ ବିଲ୍ଡିଂ ପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ ବିଭାଗର କ୍ଷେତ୍ରୀୟ କର୍ମଚାରୀ । । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ସଂକ୍ରାନ୍ତରେ ବିସ୍ତୃତ ଘୋଷଣାନାମା ପ୍ରକାଶ ପାଇଛି ।
ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନତା ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ଅଧିକାର କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି ।
ଏହି ନୂତନ ନିଷ୍ପତ୍ତି ଦ୍ୱାରା ଦୈନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜତା ଆସିପାରିବ । ରାଜ୍ୟ ସରାକାରଙ୍କ ୫-ଟି ନୀତି ଅନୁଯାୟୀ ମଧ୍ୟ ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସମୟ ଉପଯୋଗୀ କରାଯାଇଛି । ନୂଆ ନିୟମ ଅନୁଯାୟୀ କ୍ଷେତ୍ରୀୟ କର୍ମଚାରୀମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର ୧୮ ଦିନ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରିବେ । ପ୍ରମାଣପତ୍ର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଆବାସିକ କୋଠାବାଡ଼ି କ୍ଷେତ୍ରରେ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାଦ୍ୱାରା ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିବ । ୨୦୨୦ ଅପ୍ରେଲ ପହିଲା ସୁଦ୍ଧା ଅଗ୍ନିସୁରକ୍ଷା ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନ୍ ଲାଇନ୍ ଜରିଆରେ କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ନୂତନ ନିଷ୍ପତ୍ତି ଅନୁଯାୟୀ ୧୫ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ କୋଠା ପାଇଁ ସର୍କଲ ଡେପୁଟୀ ଫାୟାର ଅଫିସର, ୧୫ରୁ ୩୫ ମିଟର ଉଚ୍ଚତା ବିଶିଷ୍ଟ (ମଲ୍ଟିପ୍ଳେକ୍ସ ବ୍ୟାତୀତ) କୋଠା ପାଇଁ ରେଞ୍ଜ ଫାୟାର ଅଫିସର, ୩୫ ମିଟର ବା ତଦୁର୍ଦ୍ଧ ଉଚ୍ଚତା ବିଶିଷ୍ଟ କୋଠାବାଡ଼ି ପାଇଁ (ମଲ୍ଟିପ୍ଳେକ୍ସ ବ୍ୟତୀତ) ଚିଫ୍ ଫାୟାର ଅଫିସର ଫାୟାର ପ୍ରଭେନ୍ସନ୍, ୧୨ ମିଟରରୁ କମ୍ ଉଚ୍ଚତା ତଥା ୩୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଯାହାର କି ଅନ୍ତତଃ ପକ୍ଷେ ଗୋଟିଏ ଆଇସିୟୁ ଥିବ, ସେ କ୍ଷେତ୍ରରେ ଆସିଷ୍ଟାଣ୍ଟ ଫାୟାର ଅଫିସର ଏବଂ ୧୨ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଉପରୋକ୍ତ ବୈଶିଷ୍ଟଯୁକ୍ତ ଚିକିତ୍ସାଳୟ ପାଇଁ ଡେପୁଟୀ ଫାୟାର ଅଫିସର, ସିନେମା ହଲ୍ ପାଇଁ ଜିଲ୍ଲା ଆସିଷ୍ଟାଣ୍ଟ ଫାୟାର ଅଫିସର, ୩ ତାରକାରୁ କମ୍ ହୋଟେଲ, ଲଜିଂ ଓ ଗେଷ୍ଟ ହାଉସ ପାଇଁ ଅସିଷ୍ଟାଣ୍ଟ ଫାୟାର ଅଫ୍ ଦି ଡିଷ୍ଟ୍ରିକ୍ଟ, ୩ ତାରକାରୁ ଊର୍ଦ୍ଧ୍ୱ ହୋଟେଲ ପାଇଁ ଡେପୁଟୀ ଫାୟାର ଅଫିସର, ବିମାନ ବନ୍ଦର, ବିମାନ ଅବତରଣ କେନ୍ଦ୍ର, ଷ୍ଟାଡିୟମ୍, ବହୁତଳ ଓ ଆଂଶିକ ଭୂତଳ କାର ପାର୍କିଂ ପାଇଁ ରେଞ୍ଜ ଫାୟାର ଅଫିସର । ପେଟ୍ରୋଲ ପମ୍ପ ଓ ଏଲ୍ପିଜି ଗୋଦାମ୍ ପାଇଁ ଅସିଷ୍ଟାଣ୍ଟ ଫାୟାର ଅଫିସର, ଶିଳ୍ପ (କ୍ଷୁଦ୍ର) କଳକାରଖାନା, ଗୋଦାମ ଘର, ବିସ୍ଫୋରକ ଦ୍ରବ୍ୟର ସଂରକ୍ଷଣ, ପରିବହନ, ବିକ୍ରୟ ଏବଂ ଆତସବାଜି ଉତ୍ପାଦନ ଓ ବିକ୍ରୟ (ସ୍ଥାୟୀ ଲାଇସେନ୍ସଧାରୀ) ପାଇଁ ଡେପୁଟୀ ଫାୟାର ଅଫିସର ଏବଂ ବୃହତ ଶିଳ୍ପ ବିସ୍ଫୋରକ ଦ୍ରବ୍ୟ ଉତ୍ପାଦନକାରୀ, ପେଟ୍ରୋଲିୟମ୍ ତଥା ଅନ୍ୟ ଦାହ୍ୟ ପଦାର୍ଥ ଡିପୋ ଆଦି କ୍ଷେତ୍ରରେ ରେଞ୍ଜ ଫାୟର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ । ')}