ଓଡ଼ିଶାକୁ ଶ୍ରେଷ୍ଠ ନିବେଶସ୍ଥଳୀ କରିବାକୁ ‘ଫିକି’ ସହଯୋଗ କରୁ: ନବୀନ

ଭୁବନେଶ୍ବର:  ‘ଫିକି’ ସହ ଓଡ଼ିଶା ସରକାରଙ୍କର ସଂପର୍କ ଉତ୍ତମ ରହି ଆସିଛି । ମେକ ଇନ୍ ଓଡ଼ିଶା କନକ୍ଳେଭକୁ ଅଧିକ ସଫଳ କରିବାରେ ‘ଫିକି’ର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ମିଶନଶକ୍ତି ମାଧ୍ୟମରେ ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ପାଇଁ ଦାୟିତ୍ୱପୂର୍ଣ୍ଣ ଭାବେ କାମ କରୁଛନ୍ତି । ତୃଣମୂଳସ୍ତରରୁ ମହିଳା ଉଦ୍ୟୋଗୀ ସୃଷ୍ଟି ସହ ସେମାନଙ୍କୁ ତାଲିମ ଦେବାକୁ ‘ଫିକି’ ହାତ ବଢ଼ାଉ । ଓଡ଼ିଶାକୁ ଦେଶର ଶ୍ରେଷ୍ଠ ନିବେଶସ୍ଥଳୀ ଭାବେ ଗଢ଼ି ତୋଳିବାକୁ ‘ଫିକି’ ସବୁ ପ୍ରକାର ସହଯୋଗ କରୁ । ‘ଫିକି’ ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏମିତି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

‘ଫିକି’ ପ୍ରତିନିଧିମାନଙ୍କୁ ଓଡ଼ିଶାକୁ ସ୍ୱାଗତ ଜଣାଇ ନବୀନ କହିଲେ, ଫିକି ସହ ମୋ ସରକାରର ବନ୍ଧନ ଅତି ସୁଦୃଢ଼ । ଓଡ଼ିଶାରେ ନିବେଶ ବୃଦ୍ଧି ସହ ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ’ଫିକି’ ମିଳିତ ଭାବେ କାମ କରୁଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଉଦ୍ୟୋଗ କରିବାକୁ ‘ଫିକି’ ସହଯୋଗ କରୁଛି । ପୂର୍ବ ଭାରତରେ ବ୍ୟବସାୟ, ବାଣିଜ୍ୟ ଓ ଶିଳ୍ପାୟନରେ ଓଡ଼ିଶା ସବୁଠୁ ଆଗରେ । ତେଣୁ ଓଡ଼ିଶାକୁ ପୁଞ୍ଜିପତିଙ୍କ ପ୍ରଥମ ପସନ୍ଦ ଭାବେ ଗଢ଼ି ତୋଳିବାକୁ ନବୀନ ‘ଫିକି’କୁ ଅନୁରୋଧ କରିଛନ୍ତି ।