ଜନତା ନୁହଁନ୍ତି ଏବେ ଛାନିଆ ହେଲେଣି ନେତା, ଜେଡ୍ ସିକ୍ୟୁରିଟି ଡେଇଁ କରୋନା ହାଇପ୍ରୋଫାଇଲ୍ ନେତାଙ୍କ ଘରେ

ଭୁବନେଶ୍ୱର: କରୋନା ଜାଲରେ ଦେଶର ଟପ୍ ନେତା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ବହୁ ରାଜ୍ୟରେ ମନ୍ତ୍ରୀ, ବିଧାୟକ, ସାଂସଦମାନେ ସଂକ୍ରମିତ ହେବା ପରେ ନେତାଙ୍କ ଚିନ୍ତା ବଢିଛି । ନିଜର ସୁରକ୍ଷା ଚିନ୍ତା କରିବା ସହ ଅମାନିଆ ନେତାମାନେ ସାମାଜିକ ଦୂରତା ଓ କୋଭିଡ ଗାଇଡଲାଇନକୁ ମାନିବାକୁ ରାଜ୍ୟର ପ୍ରମୁଖ ଦଳର ନେତାମାନେ ଅପିଲ୍ କରିଛନ୍ତି ।

ଜନତା ନୁହଁନ୍ତି ଏବେ ଛାନିଆ ହେଲେଣି ନେତା । କରୋନା କାହାକୁ ଛାଡ଼ୁନି । ପ୍ରତିପତ୍ତି କ୍ଷମତାକୁ ବି ମାନୁନି । ଜେଡ୍ ସିକ୍ୟୁରିଟି ଡେଇଁ କରୋନା ପହଞ୍ଚୁଛି ହାଇପ୍ରୋଫାଇଲ୍ ନେତାଙ୍କ ଘରେ । ଗୃହମନ୍ତ୍ରୀ ଅମିତ୍ ଶାହା ସଂକ୍ରମିତ ହେବା ପରେ ଏବେ ରାଜ୍ୟ ନେତାଙ୍କ ମନରେ ଛନକା । କାରଣ ମହାମାରୀର ଅସମୟରେ ଜନତାଙ୍କୁ ସେବା ଯୋଗାଇ ଦେବା ନେତାଙ୍କ କାମ । ନହେଲେ ଭୋଟ୍ ରାଜନୀତିରେ ପଛରେ ପଡିଯିବେ । ତେବେ କଟକଣା ଭିତରେ କେମିତି କରିବେ ରାଜନୀତି । ସାମାଜିକ ଦୂରତା ରଖି କେମିତି କରିବେ ସେବା । ରାଜ୍ୟ ବିରୋଧୀ ଦଳ ନେତା କହିଛନ୍ତି, ଏବେ ସଭା ସମିତି, ଉଦ୍‌ଘାଟନ ଠାରୁ ନେତାଏ ନିଜକୁ ଦୂରେଇ ରଖିବା ଆବଶ୍ୟକ । ବିଜେଡି ଉପ ସଭାପତିଙ୍କ ମତ କଟକଣା ଭିତରେ ସରକାରଙ୍କ ସମସ୍ତ ଗାଇଡଲାଇନକୁ ପାଳନ କରି ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ । କଂଗ୍ରେସ ମଧ୍ୟ ସମାନ ମତ ଦେଇଛି ।

ହେଲେ ସଂକ୍ରମଣର ଏ ଭୟ ଭିତରେ ରାଜ୍ୟବାସୀ କିନ୍ତୁ ଦେଖୁଛନ୍ତି କିଛି ଅମାନିଆ ନେତାଙ୍କ ବେଖାତିର୍ ମନୋଭାବକୁ । ଆତ୍ମପ୍ରଚାର ଓ ଅହଂକାର ପାଇଁ ଏମାନେ ଅନ୍ୟର ଜୀବନକୁ ବାଜିରେ ଲଗାଉଛନ୍ତି । ଶହଶହ କର୍ମୀଙ୍କୁ ନେଇ ବାହାରି ଯାଉଛନ୍ତି ବାହାରକୁ । କେତେବେଳେ ସାମାଜିକ ଦୂରତାକୁ ମାନୁ ନାହାଁନ୍ତି ତ ପୁଣି କେତେବେଳେ ମାସ୍କ ପିନ୍ଧିବାକୁ ଭୂଲି ଯାଉଛନ୍ତି । ତେବେ ଗୃହମନ୍ତ୍ରୀଙ୍କୁ କରୋନା ହେବା ବା ୟୁପି ମନ୍ତ୍ରୀଙ୍କ ମୃତ୍ୟୁ ଏବେ ଏମାନଙ୍କ ପାଇଁ ନିଶ୍ଚୟ ଏକ ଚେତାବନୀ ।

ନିକଟରେ କରୋନର ଲମ୍ବା ଲଢେଇକୁ ମୁକାବିଲା କରିବା ପାଇଁ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସାମାଜିକ ଦୂରତା ଓ କୋଭିଡ କଟକଣା ମାନିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ବି ବାରମ୍ବାର ଅପିଲ କରୁଛନ୍ତି । ହେଲେ  ଅମାନିଆ ନେତାଏ କିନ୍ତୁ ଏସବୁକୁ ମାନିବାକୁ ନାରାଜ ।

(ଭୁବନେଶ୍ୱରରୁ ଚିନ୍ମୟ ମହାପାତ୍ର) 

Leave a Reply