ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ

ଫିରୋଜପୁର: ଓଭରବ୍ରିଜରେ ୧୫ ମିନିଟ୍ ଅଟକିଲେ ପ୍ରଧାନମନ୍ତ୍ରୀ । ପିଏମ୍ ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମାଗିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଫିରୋଜପୁରର ଏସଏସପି ହରମନ ସିଂହଙ୍କୁ ନିଲମ୍ବିତ କରାଯାଇଛି । ଆଜି ଫିରୋଜପୁର ଜିଲ୍ଲାର ହୁସେନାଓ୍ୱାଲା ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁରକ୍ଷା ଭଙ୍ଗ ହୋଇଥିଲା । ଏହା ପରେ ପିଏମ ମୋଦିଙ୍କ କାରକେଡ ଫ୍ଲାଏ ଓଭରରେ ୧୫ରୁ ୨୦ ମିନିଟ ଧରି ଅଟକି ରହିଥିଲା । ଆନ୍ଦୋଳନକାରୀ ମୋଦିଙ୍କ ରାସ୍ତାକୁ ଅବରୋଧ କରିଥିଲେ ।

ମୋଦିଙ୍କ କାରକେଡ ଅବରୋଧ ପରେ ମୋଦିଙ୍କ ସୁରକ୍ଷାରେ ଥିବା ସ୍ପେଶାଲ ପ୍ରୋଟେକସନ ଗ୍ରୁପ(ଏସପିଜି) ସୁରକ୍ଷା ସମ୍ଭାଳିଥିଲେ ଏବଂ ମୋଦିଙ୍କ ଗାଡିକୁ ଚାରି ପାର୍ଶ୍ୱରୁ ଜଗି ରହିଥିଲେ । ସୁରକ୍ଷା ଭଙ୍ଗ ହେବା କାରଣରୁ ଫରୋଜପୁରରେ ହେବାକୁ ଥିବା ରାଲିକୁ ରଦ୍ଧ କରି ଏୟାରପୋର୍ଟ ଫେରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏୟାରପୋର୍ଟ ପହଞ୍ଚି ଅସନ୍ତୋଷ ବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଅସନ୍ତୋଷ ବ୍ୟକ୍ତ କରି ଅଧିକାରୀମାନଙ୍କୁ କହିଥିଲେ କି ମୁଁ ଜୀବନ୍ତ ଆସିଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଏତେ ବଡ ଅବହେଳା କିଭଳି ହେଲା ସେ ନେଇ ପଞ୍ଜାବ ସରକାରଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ‘ପିଏମ୍‌ ବୁଧବାର ସକାଳେ ବଠିଣ୍ଡାରେ ପହଞ୍ଚିଥିଲେ । ସେଠାରେ ସେ ହେଲିକପ୍ଟରରେ ହୁସେନାଓ୍ବାଲାକୁ ରାଷ୍ଟ୍ରୀୟ ସହିଦ ସ୍ମାରକ ଯିବାର ଥିଲା । କିନ୍ତୁ ବର୍ଷା ଏବଂ ପାଗ ଖରାପ ଯୋଗୁଁ ମୋଦିଙ୍କୁ ୨୦ ମିନିଟ୍‌ ଧରି ଅପେକ୍ଷା କରିବାକୁ ପଡିଥିଲା । ତଥାପି ଆକାଶ ମେଘାଚ୍ଛନ ରହିବାରୁ ସେ ସଡକ ମାର୍ଗରେ ହିଁ ସେଠାରେ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲେ ଯାହାକି ୨ ଘଣ୍ଟା ଲାଗିଥାନ୍ତା । ପଞ୍ଜାବ ଡିଜିପି ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପରେ ପ୍ରଧାନମନ୍ତ୍ରୀ ସଡକ ପଥରେ ଯାଇଥିଲେ ।

କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫ୍ଲାଏ ଓଭରରେ ପହଞ୍ଚିଥିଲା ସେହି ସମୟରେ ଆନ୍ଦୋଳନକାରୀ ମୋଦିଙ୍କ ରାସ୍ତାକୁ ଅବରୋଧ କରିଥିଲେ । ଯାହା ଫଳରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫ୍ଲାଏ ଓଭର ଉପରେ ଅଟକି ରହିଥିଲା । ତେବେ ଏହି ଘଟଣା ପରେ ଏସପିଜି ପକ୍ଷରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଚରଣଜିତ୍ ସିଂହ ଚନ୍ନିଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କୁହାଯାଉଛି କି ପଞ୍ଜାବ ମୁଖ୍ୟମନ୍ତ୍ରୀ କଥା ହୋଇନଥିଲେ ।

Leave a Reply