ରାଇରଙ୍ଗପୁର ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ସନ୍ଦେହ ଜନକ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ବାରିପଦା : ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରେ। ମୃତ ଅଧ୍ୟାପିକା ଜଣକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟର କଣ୍ଟ୍ରାକଚୁଆଲ୍ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ।

ଗତକାଲି ରାତି ପ୍ରାୟ ସାଢେ଼ ଆଠଟାରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସର ରୁମ ନମ୍ବର ୮ରେ ରୁକ୍ମଣୀ ମଣ୍ଡଳ ଭିତର ପଟୁ କବାଟ ବନ୍ଦ କରିଦେଇ ଥିବାବେଳେ ରାତ୍ରୀ ଭୋଜନ ପାଇଁ ଛାତ୍ରୀ ନିବାସର ମାଟ୍ରନ୍ ତାଙ୍କୁ ଖାଇବା ପାଇଁ ଡାକିଥିଲେ। କବାଟ ନ ଖୋଲିବାରୁ ଏବଂ ଭିତର ପଟୁ କୌଣସି ଶବ୍ଦ ନଆସିବାରୁ ମାଟ୍ରନ୍ ଓ କିଛି ଛାତ୍ରୀ ମିଶି କବାଟ ଧକ୍କା ଦେଇ ଖୋଲିଥିଲେ। ସେତେବେଳକୁ ଅଧ୍ୟାପିକା ରୁକ୍ମଣୀ ବେକରେ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବା ଦେଖି ତୁରନ୍ତ କଲେଜ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।

କଲେଜ କର୍ତ୍ତୃପକ୍ଷ ଏନେଇ ରାଇରଙ୍ଗପୁର ଟାଉନ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଓ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ଅଧ୍ୟାପିକା ଜଣକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। କର୍ତ୍ତବ୍ୟରତ ଅଧ୍ୟାପିକା କେଉଁ କାରଣରୁ ଆତ୍ମହତ୍ୟା କଲେ ତାର ତଦନ୍ତ କରୁଛି ପୋଲିସ ।

ମୃତ ଅଧ୍ୟାପିକା ଜଣକ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ବୋଲି ଜଣାପଡିଛି। କାଳୀପୂଜା ସମୟରେ ନିଜ ସମ୍ପକୀୟଙ୍କ ଘର କେନ୍ଦୁଝରକୁ ଯାଇଥିବା ସମୟରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ ।

Leave a Reply