ତାଲିବାନୀ ନେତାଙ୍କ ସାକ୍ଷାତକାର ନେଇଥିବା ମହିଳା ସାମ୍ବାଦିକ ଛାଡ଼ିଲେ ଆଫଗାନିସ୍ତାନ

କାବୁଲ: ଆଫଗାନିସ୍ଥାନରେ ତାଲିବାନର କବଜା ପରେ ସେଠାରେ ତାଙ୍କର ବର୍ବରତା ଜାରି ରହିଛି । ପ୍ରତ୍ୟେକ ଦିନ ଆଫଗାନିସ୍ଥାନରେ ଗୁଳିତକାଣ୍ଡ ଓ ବୋମାମଡ଼ର ଖବର ସାମ୍ନାକୁ ଆସୁଛି। ତେବେ ତାଲିବାନୀଙ୍କ କବଳରୁ ରକ୍ଷା ପାଇବାପାଇଁ ହଜାର ହଜାର ଆଫଗାନୀ ଦେଶ ଛାଡ଼ି ପଳାଉଛନ୍ତି। ଏହାରି ଭିତରେ ଖବର ପ୍ରକାଶ ପାଇଛି ଯେ ତାଲିବାନୀ ନେତାଙ୍କ ସାକ୍ଷାତକାର ନେଇଥିବା ଟୋଲୋ ନ୍ୟୁଜର ସାମ୍ବାଦିକ ବେହେସ୍ତା ଅରଘାନ୍ଦ ମଧ୍ୟ ଦେଶ ଛାଡି ପଳାଇଛନ୍ତି।

ନିକଟରେ ବେହେସ୍ତା ଜଣେ ତାଲିବାନ ନେତା ୟୁଶୁଫଜଇଙ୍କ ସାକ୍ଷାତକାର ନେଇ ହଇଚଇ ସୃଷ୍ଟି କରିଥିଲେ। ସାରା ଆଫଗାନିସ୍ଥାନ ଯେତେବେଳେ ତାଲିବାନିଙ୍କୁ ଭୟ କରୁଛି ସେତେବେଳେ ବେହେସ୍ତା କୌଣସି ପ୍ରକାରର ଭୟ ନକରି ତାଲିବାନର ଏହି ନେତାଙ୍କୁ  ତୀକ୍ଷ୍ଣ ପ୍ରଶ୍ନ ପଚାରିଥିଲେ। ତାଙ୍କର ଏହି ସାକ୍ଷାତକାର ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା।

ଏବେ କିନ୍ତୁ ତାଲିବାନୀଙ୍କ ଆତଙ୍କରେସେବି ଭୟବୀତ ହୋଇ ଦେଶ ଛାଡିଛନ୍ତି। ବେହେସ୍ତା କହିଛନ୍ତି ଯେ ଲକ୍ଷ ଲକ୍ଷ ଆଫଗାନୀ ପରି ସେ ତାଲିବାନକୁ ଭୟ କରନ୍ତି। ଟୋଲୋ ନ୍ୟୁଜ୍ ଚ୍ୟାନେଲର ମାଲିକ ସାଦ ମୋହସେନି କହିଛନ୍ତି ଯେ ତାଲିବାନ ଆସିବା ପରଠାରୁ ସେମାନଙ୍କର ଅନେକ ଆଙ୍କର୍ ଏବଂ ରିପୋର୍ଟ ଚାକିରି ଛାଡ଼ିଛନ୍ତି। ଏବଂ ବର୍ତ୍ତମାନ ସମୟରେ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ପାଇବାରେ ଅସୁବିଧା ହେଉଛି। ଏବଂ ତାଲିବାନର ଶାସନ ଅଧୀନରେ ଚ୍ୟାନେଲ ଚଲାଇବା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

ସୂଚନା ମୁତାବକ ତାଲିବାନ ନେତା ୟୁସୁଫଜାଇଙ୍କୁ ସାକ୍ଷାତକାର ଦେବା ପରେ ସେ ସାହାଯ୍ୟ ପାଇଁ ଜଣେ ସାମାଜିକ କର୍ମୀଙ୍କ ନିକଟକୁ ଯାଇଥିଲେ। ଏହା ପରେ ଗତ ମଙ୍ଗଳବାର ଦିନ ସେ କତାର ବାୟୁସେନା ବିମାନରେ ଦେଶ ଛାଡ଼ି ପଳେଇ ଆସିଥିଲେ। ତାଙ୍କ ସହିତ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଥିଲେ। ସେ କହିଛନ୍ତି ଯେ ଯଦି ତାଲିବାନ ପ୍ରତିଶ୍ରୁତି ରକ୍ଷା କରେ ଏବଂ ସ୍ଥିତି ଭଲ ହୋଇଯାଏ, ଆଉ ମୁଁ ଜାଣେ ଯେ ମୁଁ ସୁରକ୍ଷିତ ଏବଂ ମୋ ପାଇଁ କୌଣସି ବିପଦ ନାହିଁ, ତା’ପରେ ମୁଁ ମୋ ଦେଶକୁ ଫେରି ମୋ ଦେଶ ପାଇଁ କାମ କରିବି।

ଜଣାଇ ଦେବାକୁ ଚାହୁଁ ଯେ ଆଫଗାନିସ୍ତାନରେ ତାଲିବାନ ଲେଡି ଆଙ୍କରମାନଙ୍କୁ ଚାନେଲରେ କାମ କରିବା ନେଇ ନିଷେଧାଦେଶ ଜାରି କରିଥିବାବେଳେ ଅନେକ ସାମ୍ବାଦିକଙ୍କୁ ଟାର୍ଗେଟ କରି ହତ୍ୟା କରିଛନ୍ତି। କିଛି ସାମ୍ବାଦିକ ତାଲିବାନୀ ଆକ୍ରମଣରେ ଆହତ ବି ହୋଇଛନ୍ତି। କିଛି ଦିନ ତଳେ ଟୋଲୋ ନ୍ୟୁଜର ରିପୋର୍ଟର, କ୍ୟାମେରାମ୍ୟାନଙ୍କ ଉପରେ ତାଲିବାନ ଆକ୍ରମଣ କରିଥିଲା । କାବୁଲ ଓ ନଙ୍ଗହାରରେ ବିଶେଷ କରି ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଉଛି । କିଛି ସ୍ଥାନରେ ତାଲିବାନ ବିଭିନ୍ନ ସାମ୍ବାଦିକଙ୍କ ଘରେ  ରେଡ କରୁଛି । କିଛି ଦିନ ତଳେ ଜଣେ ଜର୍ମାନୀ ସାମ୍ବାଦିକଙ୍କ ପରିବାରର ସଦସ୍ୟଙ୍କୁ ତାଲିବାନୀ ହତ୍ୟା କରିଥିଲେ।

Leave a Reply