ମହିଳା କର୍ମଚାରୀଙ୍କୁ ମିଳିବ ୧୮୦ ଦିନର ମାତୃତ୍ବ ଛୁଟି ; ରାଜ୍ୟ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ରାଜ୍ୟ ସରକାରୀ ମହିଳା କର୍ମଚାରୀଙ୍କୁ ମିଳିବ ୧୮୦ ଦିନର ମାତୃତ୍ବ ଛୁଟି । ଏନେଇ ଆଜି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସର୍ତ୍ତାବଳୀ ମାର୍ଗଦର୍ଶିକା ଜାରି କରାଯାଇଛି । ମାତୃତ୍ବ ଛୁଟି ପାଇବାକୁ ହେଲେ ଜଣେ ମହିଳା ସରକାରୀ କର୍ମଚାରୀଙ୍କର ଦୁଇଟି ପିଲାରୁ ଅଧିକ ନଥିବେ । ସମ୍ଭାବ୍ୟ ପ୍ରସବ ତାରିଖର ୩ ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ୬ ମାସ ମଧ୍ୟରେ ମହିଳା କର୍ମଚାରୀ ଏହି ଛୁଟି ପାଇପାରିବେ । ଶିଶୁ ଜନ୍ମ ସମୟରେ କର୍ମଚାରୀ ଜଣଙ୍କ ଯଦି ସରକାରୀ ସେବାରେ ନଥିବେ ତାହେଲେ ତାଙ୍କ ଶିଶୁକୁ ୬ ମାସ ହେବା ପର୍ଯ୍ୟନ୍ତ ମାତୃତ୍ବ ଛୁଟି ମିଳିବ । ଏହି କ୍ଷେତ୍ରରେ ମାତୃତ୍ବ ଛୁଟିର ଅବଧି ୧୮୦ ଦିନରୁ କମ ରହିବ । ମାତୃତ୍ବ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ ହୁଏ କିମ୍ବା ଜନ୍ମର ୨୮ ଦିନ ମଧ୍ୟରେ ଶିଶୁଟି ମରିଯାଏ ତାହେଲେ ଦୁର୍ଘଟଣା ହେବା ଦିନ ଠାରୁ ୪୨ ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟିର ଅବଧି ରହିବ ।

ସେହିପରି ଶିଶୁମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ମଧ୍ୟରେ ଘଟିଲେ ସଂପୃକ୍ତ ମହିଳା ସରକାରୀ କର୍ମଚାରୀଙ୍କୁ ମାତ୍ର ୧୪ ଦିନ ପର୍ଯ୍ୟନ୍ତ ମିଳିବ ଛୁଟି । ପ୍ରଥମ ସନ୍ତାନ ପାଇଁ ଯେତେଥର ମାତୃତ୍ବ ଛୁଟି ନେଇଥିଲେ ବି ଦ୍ବିତୀୟ ଜୀବିତ ସନ୍ତାନ ରଖିବା ପାଇଁ ବାରମ୍ବାର ମାତୃତ୍ବ ଛୁଟି ନେଇପାରିବେ । ମାତୃତ୍ବ ଛୁଟିରେ ଥିବା ମହିଳା କର୍ମଚାରୀଙ୍କର ପଦୋନ୍ନତି ହେଲେ ସଂପୃକ୍ତ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇବେ । ଏହି ଛୁଟି ମହିଳା କର୍ମଚାରୀ ଏକକାଳୀନ କିମ୍ବା ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ । ମାତୃତ୍ବ ଛୁଟି ପାଇବା ପାଇଁ ହେଲେ ଶିଶୁ ପ୍ରସବ ସରକାରୀ ସ୍ବୀକୃତି ପ୍ରାପ୍ତ ଚିକିତ୍ସାଳୟରେ କରାଯିବା ଆବଶ୍ୟକ ।

ନଜର ପକାନ୍ତୁ