ସେନା ଅଧୀନରେ ମିଆଁମାର: ଅଙ୍ଗ୍‌ ସାନ୍‌ ସୁ-କି ଓ ରାଷ୍ଟ୍ରପତି ଗିରଫ

1 min read

ନୂଆଦିଲ୍ଲୀ: ମିଆଁମାରରେ ରାଜନୈତିକ ଅସ୍ଥିତରତା। ସବୁଠୁ ବଡ଼ ନେତା ଅଙ୍ଗ୍‌ ସାନ୍‌ ସୁ-କି ଓ ରାଷ୍ଟ୍ରପତି ବିନ ମିଣ୍ଟଙ୍କ ସମେତ ଶାସକ ଦଳର କିଛି ନେତାଙ୍କୁ ପୁଲିସ ଗିରଫ କରିଛି। ସୂଚନା ମୁତାବକ ମିଆଁମାରରେ ଗତ କିଛିଦିନ ହେଲା ସେନା ଓ ସରକାରଙ୍କ ମଧ୍ଯରେ ଚାଲିଥିବା ତିକ୍ତତା ପ୍ରକାଶ ପାଇବା ପରେ ଏଭଳି ପଦକ୍ଷେପ ନିଆଯାଇଛି। କେବଳ ଏତିକି ନୁହେଁ ଦେଶରେ  ସେନା ଏକ ବର୍ଷ ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିବା ଜଣାପଡ଼ିଛି।

ସୋମବାର ସେନା ଦ୍ୱାରା ପରିଚାଳିତ ଟିଭିରେ କୁହାଯାଇଛି ଯେ ସେନା ଦେଶକୁ ନିଜ ଅଧୀନକୁ ନେଇଛି ଏବଂ ଏକ ବର୍ଷ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। କାର୍ଯ୍ୟନିର୍ବାହୀ ସଭାପତି ଭାବେ ପୂର୍ବତନ ଜେନେରାଲ ଏବଂ ଉପରାଷ୍ଟ୍ରପତି ମେଣ୍ଟ ସ୍ୱେଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଆର୍ମି ଷ୍ଟାଫ୍ ମାନ୍ୟତା ମଧ୍ୟ ଦିଆଯାଇଛି। ଏହା ମଧ୍ଯ କୁହାଯାଉଛି ଯେ କୌଣସି ବିରୋଧକୁ ଆୟତ କରିବା ପାଇଁ ରାସ୍ତାରେ ସେନା ମଧ୍ଯ ନିୟୋଜିତ କରାଯାଇଛି ଏବଂ ଫୋନ୍ ଲାଇନ ବି ବନ୍ଦ ରହିଛି।

ଏହା ପୂର୍ବରୁ ଏନ୍‌ଏଲ୍‌ଡି’ ମୁଖପାତ୍ର ମିଓ ନ୍ୟୁଣ୍ଟ୍‌ ‘ରଏଟର୍ସ’କୁ କହିଛନ୍ତି ଯେ ଆଜି ସକାଳୁ ଚଢ଼ାଉରେ ସୁ କି, ରାଷ୍ଟ୍ରପତି ଓ୍ଵିନ୍‌ ମିଣ୍ଟ ଏବଂ ଅନ୍ୟ ନେତାମାନଙ୍କୁ ଉଠାଇ ନିଆଯାଇଛି। ଏହାଛଡ଼ା, ତାଙ୍କୁ  ମଧ୍ୟ ଗିରଫ କରାଯାଇ ପାରେ ବୋଲି ସେ କହିଛନ୍ତି।

ମିଆଁମାରରେ ସେନା ଓ ବେସାମରିକ ସରକାରଙ୍କ ମଧ୍ଯରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ନଭେମ୍ବର ମାସରେ ହୋଇଥିବା ନିର୍ବାଚନରେ ଏନଏଲଡି ଏକ ବଡ଼ ବିଜୟ ହାସଲ କରିଥିଲା। କିନ୍ତୁ ଏଥିରେ ବ୍ୟାପକ ଜାଲିଆତି ହୋଇଥିବା ସେନା ଅଭିଯୋଗ କରିଥିଲା। ତେଣୁ, ସେନା ସରକାରଙ୍କ ହାତରୁ କ୍ଷମତା ଛଡ଼ାଇ ନେବାର ଆଶଙ୍କା ବି ଥିଲା। ଆଜି ନବ ନିର୍ବାଚିତ ସଂସଦର ପ୍ରଥମ ବୈଠକ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବିତ ହୋଇଥିଲା। ହେଲେ ଏହାପୂର୍ବରୁ ସେନା ପାର୍ଟିର ବଡ଼ ନେତାମାନଙ୍କୁ ଗିରଫ କରିନେଇଛି।

ମିଆଁମାରରେ ଘଟିଥିବା ଘଟଣାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ମିଆଁମାରରେ ଗଣତାନ୍ତ୍ରିକ ପରିବର୍ତ୍ତନ ପ୍ରକ୍ରିୟାକୁ ଆମେ ସର୍ବଦା ସମର୍ଥନ କରିଛୁ ବୋଲି ଭାରତ କହିଛି। ଏହାସହିତ ଏହି ଘଟଣା ଉପରେ ଟିକିନିଖ ନଜର ରଖୁଥିବା ମଧ୍ଯ ଭାରତ କହିଛି। ଅନ୍ୟପଟେ ଏହି ଘଟଣା ନେଇ ଅଷ୍ଟ୍ରେଲିଆ, ଆମେରିକା ସମେତ ଅନେକ ଦେଶ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆଘାତ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଧମକ ଦେଇଛି।

Leave a Reply