ଆମେରିକାରେ ଏବେ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ୍

1 min read

ଓ୍ବାସିଂଟନ: କୋଭିଡ-୧୯ ବିରୋଧରେ ଆମେରିକାର ମହାମୁକାବିଲା । ସମ୍ପୂର୍ଣ୍ଣ ଡୋଜ ନେଇସାରିଥିବା ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକ ଏବେ ନେଇପାରିବେ ବୁଷ୍ଟର ଡୋଜ । ଏନେଇ ସବୁଜ ସଙ୍କେତ ଦେଇଛି ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ । ଫାଇଜର ବାୟୋଏନଟେକ ଓ ମଡର୍ଣ୍ଣାର ବୁଷ୍ଟର ଡୋଜ ନେବାକୁ ଜରୁରୀକାଳୀନ ଅନୁମତି ଦେଇଛି ଏଫଡିଏ ।

ବର୍ତ୍ତମାନ ସୁଦ୍ଧା ଦେଶରେ ୬୫ ବର୍ଷ ବା ତାହାଠାରୁ ଅଧିକ ବୟସର ଲୋକଙ୍କ ଲାଗି ବୁଷ୍ଟର ଡୋଜ ନେବାକୁ ଅନୁମତି ଥିଲା । ଏହା ସହ ୧୮ ବର୍ଷ ବା ତାହାଠାରୁ ଅଧିକ ବୟସର ଗୁରୁତର ରୋଗୀ ଏହି ବୁଷ୍ଟର ଡୋଜ ନେଇପାରିବେ ବୋଲି ନିୟମ ରହିଥିଲା । ମାତ୍ର ନୂଆ ନିଷ୍ପତ୍ତି ଯୋଗୁ ଦେଶର ସମସ୍ତ ଲୋକ ଏବେ ବୁଷ୍ଟର ଡୋଜ ନେଇପାରିବେ । ଏଫଡିଏର ସେଣ୍ଟର ଫର ବାୟୋଲୋଜିକସ ଏଭାଲୁଏନସ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶକ ଡାକ୍ତର ପିଟର ମାର୍କସ କହିଛନ୍ତି କୋଭିଡ ବିରୋଧରେ ସଂଗ୍ରାମ ତୀବ୍ର କରିବା ଲାଗି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଏଣିକି ସମ୍ପୂର୍ଣ୍ଣ ଦୁଇଟିଯାକ ଡୋଜ ନେଇଥିବା ଯେ କୌଣସି ବ୍ୟକ୍ତି ଫାଇଜର ଓ ମଡର୍ଣ୍ଣାର ବୁଷ୍ଟର ଡୋଜ ନେଇପାରିବେ । ଦେଶରେ କୋଭିଡକୁ ମୂଳପୋଛ କରିବା ଲାଗି ଏହି ଅଭିଯାନ ଆରମ୍ଭ ହେବ । ନୂଆ ନିୟମ ଅନୁସାରେ ଯେଉଁମାନେ ଫାଇଜର ବା ମଡର୍ଣ୍ଣାର ଦୁଇଟି ଡୋଜ ନେଇଥିବେ ସେମାନେ ଦ୍ବିତୀୟ ଡୋଜର 6 ମାସ ପରେ ବୁଷ୍ଟର ଡୋଜ ନେଇପାରିବେ । ସେହିପରି ଯେଉଁ ବ୍ୟକ୍ତି ଜନସନ ଆଣ୍ଡ ଜନସନ ଟିକା ନେଇଥିବେ ସେମାନେ ପ୍ରଥମ ଡୋଜର 2 ମାସ ପରେ ଏହି ବୁଷ୍ଟର ଡୋଜ ନେଇପାରିବେ ।

Leave a Reply