ଟ୍ରମ୍ପଙ୍କ ବାସଭବନରେ FBIର ଚଢାଉ, ମିଳିଲା ସିକ୍ରେଟ ଡକ୍ୟୁମେଣ୍ଟ

1 min read

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବାସଭବନରୁ ସରକାରୀ ନଥି ଜବତ ହେବା ପରେ ଏହାକୁ ନେଇ ବଢିଛି ବିବାଦ । ଏସପିଓନେଜ ଆକ୍ଟ ବା ଗୁଇନ୍ଦା ଆଇନକୁ ଟ୍ରମ୍ପ ଉଲ୍ଲଂଘନ କରିଥିବା ଅଭିଯୋଗ ଅନୁସାରେ ବର୍ତ୍ତମାନ ତାଙ୍କ ବିରୋଧରେ ଏଫବିଆଇ ତଦନ୍ତ ଜାରି ରହିଛି ।

ରାଷ୍ଟ୍ରପତି ଥିବାବେଳେ ଟ୍ରମ୍ପ ଋଷର ବୈଦେଶିକ ମନ୍ତ୍ରୀଙ୍କୁ ଏକ ଯୋଜନବଦ୍ଧ ମୁସଲିମ ରାଷ୍ଟ୍ର ଗଠନ ସଂକ୍ରାନ୍ତରେ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ସୋସିଆଲ ମିଡିଆରେ ଟ୍ରମ୍ପ କହିଥିଲେ- ସମସ୍ତ ରେକର୍ଡ ଡିକ୍ଲାସିଫାଏଡ ଅର୍ଥାତ ଗୋପନୀୟ ନୁହେଁ ଏବଂ ସେଗୁଡିକୁ ନିରାପଦ ଭାବେ ରଖାଯାଇଛି । ଗତକାଲି ଫ୍ଲୋରିଡାସ୍ଥିତ ବାସଭବନରେ ଏଫବିଆଇ ଚଢାଉ ପରେ ମିଳିଛି ଟପ୍ ସିକ୍ରେଟ ଡକ୍ୟୁମେଣ୍ଟ ।

ଟ୍ରମ୍ପଙ୍କ ମାର-ଏ-ଲାଗୋ ଘରୁ ୧୨ ସେଟ୍ ଡକ୍ୟୁମେଣ୍ଟ ଜବତ ହୋଇଥିବା ଦର୍ଶାଇଥିଲା ଓ୍ବାଲଷ୍ଟ୍ରିଟ ଜର୍ଣ୍ଣାଲ । ତେବେ ଏହି ଡକ୍ୟୁମେଣ୍ଟ କେବଳ ସ୍ବତନ୍ତ୍ର ସରକାରୀ ଅଧିକାରୀଙ୍କୁ ପ୍ରଦାନ କରାଯିବ । ମିଳିଥିବା ନଥିରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମ୍ପର୍କରେ ବି କିଛି ସୂଚନା ମିଳିଛି । ଟ୍ରମ୍ପଙ୍କ ବିରୋଧ ସତ୍ତ୍ବେ ସର୍ଚ୍ଚ ଓ୍ବାରାଣ୍ଟ ଅନସିଲ୍ କରିବା ଲାଗି ଫ୍ଲୋରିଡା ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାୟ ବିଭାଗ । ସେପଟେ ଉଗ୍ର ବାମ ଗଣତାନ୍ତ୍ରିକ ଶକ୍ତିଙ୍କ ଶିକାର ହୋଇଥିବା କହିଛନ୍ତି ୭୬ ବର୍ଷ ବୟସ୍କ ଟ୍ରମ୍ପ ।

ଟ୍ରମ୍ପଙ୍କ ଘରୁ ୨୦ଟି ପେଟିରେ ଅନେକ ଫଟୋ ଓ ଦସ୍ତାବିଜ ଜବତ ହୋଇଥିବା ଦର୍ଶାଯାଇଛି । ପ୍ରଥମ ଥର ଲାଗି ଆମେରିକାରେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବାସଭବନରେ ରେଡ୍‌ ହୋଇଛି । ହ୍ବାଇଟ ହାଉସରୁ ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡକୁ ଟ୍ରମ୍ପ ମାରା-ଏ-ଲୋଗୋ ବାସଭବନକୁ ନେଇଯାଇଥିବା ନେଇ ହୋଇଥିଲା ଅଭିଯୋଗ ।