ବୋହୂଙ୍କୁ ବଞ୍ଚାଇବାକୁ ଯାଇ ପୁଅ ହାତରୁ ଗୁଳି ଖାଇଲେ ବାପା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁରେ ଅଭାବନୀୟ ଘଟଣା । ବୋହୂଙ୍କୁ ବଞ୍ଚାଇବାକୁ ଯାଇ ପୁଅ ହାତରୁ ଗୁଳି ଖାଇଲେ ବାପା । ଗୁରୁତର ବାପା ହେଲେ ଗଙ୍ଗାଜଳ ମେହେର । ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ପୁଅ ଓ ବୋହୂଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ାରେ ପୁଅ ରାଗିଯାଇ ସ୍ତ୍ରୀକୁ ଗୁଳି କରିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ବାପା ଗଙ୍ଗାଜଳ ବୋହୂକୁ ରକ୍ଷା କରିବା ପାଇଁ ସାମ୍ନାକୁ ଚାଲି ଆସିଥିଲେ । ଫଳରେ ଗୁଳିଟି ତାଙ୍କ ଦେହରେ ବାଜିଥିଲା ଓ ସେ ଗୁରୁତର ଆହତ ହୋଇଛନ୍ତି । ଘଟଣାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି ।