ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପପୁଅଙ୍କ ଆତ୍ମହୂତି ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପପୁଅଙ୍କ ଆତ୍ମାହୁତି ଉଦ୍ୟମ। କିରୋସିନ୍‌ ଢ଼ାଳି ଆତ୍ମାହୁତି ଉଦ୍ୟମ ବେଳେ କାବୁ କଲା ପୋଲିସ। ଖଣି ପାଇଁ ଜମି ଯାଇଥିବା ବେଳେ ଚାକିରି ମିଳୁ ନଥିବା ଅଭିଯୋଗ କରି ବାପପୁଅ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି।

ତାଳଚେର ସୋଲଡା ଗାଁର ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ ବେହେରା ଆଜି ସକାଳ ପ୍ରାୟ ୧୧ଟା ବେଳେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପୋଲିସ ପାଖରେ ପୂର୍ବ ସୂଚନା ଥିବାରୁ ଆଲର୍ଟ ରହିବା ସହ ବାପପୁଅଙ୍କୁ କାବୁ କରିବାରେ ସଫଳ ହୋଇଛି। ବାପ ପୁଅ ଅଭିଯୋଗ କରିଛନ୍ତି ଯେ ତାଳଚେର ଏମସିଏଲରେ ଖଣି ପାଇଁ ତାଙ୍କ ଜମି ଯାଇଛି, ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାରର କାହାକୁ ଚାକିରି ଖଣ୍ଡେ ମିଳି ନାହିଁ। ଏ ନେଇ ସେମାନେ ବାରମ୍ବାର ଦାବି କରିବା ସହ ଏମସିଏଲ କତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ବି କୌଣସି ଫଳ ମିଳିନାହିଁ। ଫଳରେ ବାଧ୍ୟ ହୋଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ଆତ୍ମାହୁତି ଉଦ୍ୟମ କରିଛନ୍ତି।

ବାପପୁଅଙ୍କୁ ପୋଲିସ କାବୁ କରିବା ପରେ ଜିଲ୍ଲାପାଳ ତାଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ଅଭିଯୋଗ ଶୁଣିବାପରେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି। ଅନ୍ୟପଟେ ଆତ୍ମାହୁତି ଉଦ୍ୟମ କରିଥିବାରୁ ଉଭୟଙ୍କୁ ଅନୁଗୁଳ ଥାନାରେ ଅଟକ ରଖିଛି ପୋଲିସ୍।

Leave a Reply