ମାଟ୍ରିମୋନି ସାଇଟରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ୩ ଲକ୍ଷ ଟଙ୍କା ଓ ଦାମୀ ମୋବାଇଲ ଠକି ନେଲେ ତିନି ଛୁଆର ବାପା
ଭୁବନେଶ୍ବର: ଠକଙ୍କ ନୂଆ ଠିକଣା ପାଲଟିଛି ମାଟ୍ରିମୋନି ସାଇଟ୍ । ଫେକ ଆକାଉଣ୍ଟ ଖୋଲି ଯୁବତୀଙ୍କୁ ଲଗାଉଛନ୍ତି ଚୂନ । ମିଠା ମିଠା କଥା କହି ସମ୍ପର୍କ ଯୋଡ଼ୁଛନ୍ତି । ବିବାହର ପ୍ରଲୋଭନ ଦେଖାଉଛନ୍ତି । ଲକ୍ଷା ଲକ୍ଷ ଟଙ୍କା ଚୂନ ଲଗାଉଛନ୍ତି । ଏମିତି ଏକ ଅଭିଯୋଗ ହୋଇଛି ଭୁବନେଶ୍ବରରେ । ମାଟ୍ରିମୋନି ସାଇଟରେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଲୁଟିଥିବା ଜଣେ ତିନି ଛୁଆର ବାପା ଧରାପଡ଼ିଛନ୍ତି । ଯୁବତୀଙ୍କୁ ମିଠା ମିଠା କଥା କହି ଅଭିଯୁକ୍ତ ୩ ଲକ୍ଷ ଟଙ୍କା ଓ ଏକ ଦାମୀ ମୋବାଇଲ ନେଇଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।
ଠକେଇର ଶିକାର ଯୁବତୀ କହିଛନ୍ତି, ୨୦୨୪ ଡିସେମ୍ବରରେ ସେ ଭାରତ ମାଟ୍ରିମୋନିରୁ ମୋତେ ଅନୁରୋଧ ପଠାଇଥିଲେ । ସେହିଠାରୁ କଥାବାର୍ତ୍ତା ହେବା ପରେ ସେ ମୋତେ ଦେଖା କଲେ । ମୋର ବାପାମାଆ ନାହାନ୍ତି । ଏହାପରେ ଭିଡିଓ କଲରେ ସେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ମଧ୍ୟ ମୋର କଥାବାର୍ତ୍ତା କରାଇଲେ । ତେଣୁ ମୁଁ କେବେ ବି ଜାଣିପାରିଲିନି ସେ ଠକ ବୋଲି ।
ଆଗକୁ ସେ କହିଛନ୍ତି, କାରକୁ ନେଇ ପ୍ରଥମେ ମୋର ସନ୍ଦେହ ହୋଇଥିଲା । ମୁଁ ତାଙ୍କ ଘରେ ଥିବା ବେଳେ ଜଣେ ଲୋକ ଆସି ତାଙ୍କ ଘର ଆଗରେ ମୋର ୪ ଲକ୍ଷ ଟଙ୍କା ନେଇ ଦେଖା ଦେଉନି କହି ପାଟି କରିଥିଲା । ସେତେବେଳେ ସେ ଘରେ ଥିଲେ ବି ଘରେ କାମ କରୁଥିବା ମହିଳା ବାବୁ ନାହାନ୍ତି କହି ଘର ଚାବି ପକାଇ ଦେଇଥିଲା । ଏହା ଦେଖି ମୁଁ ସନ୍ଦେହ କରିବା ଆରମ୍ଭ କରିଥିଲି ।
ପ୍ରଥମେ କଥା ହେବା ପରେ ସେ ତାଙ୍କ ନାଁ ଦୀପ୍ତିଦାସ ପଟ୍ଟନାୟକ ବୋଲି ପରାମର୍ଶ ଦେଇଥିଲେ । ଆଇଏମଏସ୍ କଲେଜର ଫାଉଣ୍ଡର ତାଙ୍କ ବାପା ବୋଲି କହିବା ସହ ତାଙ୍କର ଛାଡ଼ପତ୍ର ହୋଇଛି ବୋଲି କହିଥିଲେ । ଆମ ଘର ଲୋକଙ୍କ ସହ କଥା ହେବା ବେଳେ 3୨ଟା ଫ୍ଲାଟ ଥିବା, ୫ ଲକ୍ଷ ଟଙ୍କା ଘଣଭଡ଼ା ଆସୁଥିବା, କଲେଜରେ ୫୦ ପ୍ରତିଶତ ସେୟାର ଅଛି ବୋଲି କହିଥିଲେ । ଏହାସହ ଷ୍ଟକ ମାର୍କେଟରେ ବି ଟଙ୍କା ଲଗାଇଥିବା କହି ଆପ୍ ଦେଖାଇଥିଲେ । ପରେ ମୁଁ ଜାଣିଲେ ସେ ଦେଖାଉଥିବା ଆପଟି ଏକ ଡମି ଆପ ଥିଲା । ଏସବୁ କାରଣରୁ ଧିରେ ଧିରେ ସନ୍ଦେହ ବଢ଼ିଥିଲା ।
ଏକ ସପ୍ତାହ ପୂର୍ବେ ମୁଁ ତାଙ୍କ ଗାଁକୁ ଯାଇଥିଲି । ସେଠାରେ ତାଙ୍କ ବଡ଼ବାପା ରହୁଛନ୍ତି । ସେଠାକୁ ଯାଇ ଜାଣିଲି ତାଙ୍କ ସ୍ତ୍ରୀ ଓ ତିନିଟି ପିଲା ଅଛନ୍ତି । ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ । ସେମାନେ ତାଙ୍କ ସାନ ଭାଇଙ୍କ ସହ ସହିଦ ନଗର ଘରେ ରହୁଛନ୍ତି ।
ତାଙ୍କ ଆକାଉଣ୍ଟ ବ୍ଲକ ହୋଇଥିବା କହିଲେ । ଦେଢ଼ ଲକ୍ଷ ଟଙ୍କାର ଫୋନ କିଣିକି ଦେଲି । ଆକାଉଣ୍ଟ ଖୋଲିଲେ ଟଙ୍କା ଫେରାଇବେ ବୋଲି କହିଥିଲେ । ହେଲେ ପରେ ସମସ୍ତଙ୍କୁ କହି ବୁଲିଲେ କି ମୁଁ ତାଙ୍କୁ ଫୋନଟା ଗିଫ୍ଟ କରିଛି ବୋଲି । ଟଙ୍କା ଫେରାଇବା ନାଁ ନେଉ ନଥିଲେ । କାଲି ପୁରୀରେ ଜମି ବିକ୍ରି ହେଉଛି କକହି ଯାଇଥିଲେ । ସେ ଜମି ତାଙ୍କ ମାଆଙ୍କ ନାଁରେ ରହିଛି । ବିକ୍ରି ହୋଇ ପାରିଲାନି । ସେଠାରୁ ଫେରି ମଦ ପିଇ ମୋତେ ଫୋନରେ ଗାଳିଗୁଲଜ କରିଥିଲେ । ଏହାପରେ ମୁଁ ମୋ ଭାଇ ଓ ପରିବାର ସହ ତାଙ୍କ ଘରକୁ ଆସିଥିଲୁ । ସେଠାରେ ସେ ମୋତେ ଧକ୍କା ମରାମରି କରିଥିଲେ । ଏହାପରେ ଆମେ ପୋଲିସକୁ ଫୋନ କରି ଡକାଇଥିଲୁ ।
ଥାନାକୁ ଯିବା ପରେ ତାଙ୍କ ଓକିଲ ପାଖରୁ ସ୍ତ୍ରୀ, ପିଲା କଥା ସତ ବୋଲି ଜଣାପଡିଥିଲା । ଏପରିକି ପୈତୃକ ସମ୍ପତ୍ତି ତାଙ୍କ ବାପା ତାଙ୍କ ସ୍ତ୍ରୀ ଓ ପିଲାଙ୍କ ନାଁରେ କରି ଯାଇଥିବା ମଧ୍ୟ ଜଣାପଡିଛି । ଏପରିକି ଥାନାକୁ ଯିବା ପରେ ପୋଲିସ ଅଧିକାରୀମାନେ ମଧ୍ୟ ତାଙ୍କୁ ଚିହ୍ନଟ କରିଥିଲେ । କାରଣ କିଛିଦିନ ପୂର୍ବେ ଗୋଟେ ଝିଅ ସହ ତାଙ୍କର ଏମିତି ଝଗଡ଼ା ହୋଇଥିଲା । ଯାହାର ସମାଧାନ ଥାନାରେ ହୋଇଥିଲା । ମୋ ପରି ଏକାଧିକ ଝିଅଙ୍କୁ ସେ ଠକିଥିବାର ପ୍ରମାଣ ରହିଛି ।