୪ ନାବାଳକ ପିଲାଙ୍କୁ ହତ୍ୟା କରିବା ପରେ ବାପାଙ୍କ ଆତ୍ମହତ୍ୟା

ଶାହାଜାହାନପୁର: ଉତ୍ତର ପ୍ରଦେଶର ଶାହାଜାହାନପୁର ମାନପୁର ଚାଚାରି ଗାଁରେ ଘଟିଛି ଲୋମହର୍ଷକ ଘଟଣା । ନିଜ ୪ ସନ୍ତାନଙ୍କୁ ହତ୍ୟା କରିବା ପରେ ପତ୍ନୀଙ୍କ ଶାଢ଼ୀରେ ଝୁଲି ପତିଙ୍କ ଆତ୍ମହତ୍ୟା । ଗୋଟିଏ କୋଠରୀରୁ ସମସ୍ତଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ମଧ୍ୟରେ ୩ ନାବାଳିକା ଥିବା ବେଳେ ଜଣେ ନାବାଳକ ଅଛନ୍ତି ।
ପାରିବାରିକ କଳହର କରୁଣ ପରିଣତି । ପତ୍ନୀଙ୍କ ସହ ଝଗଡ଼ା ପରେ ନିଜର ୪ ନାବାଳକ ସନ୍ତାନଙ୍କ ଗଳାକାଟି ହତ୍ୟା କରିଛନ୍ତି ସ୍ବାମୀ । ଏହାପରେ ପତ୍ନୀଙ୍କ ଶାଢ଼ୀରେ ଝୁଲି ପଡ଼ି ସେହି ଘରେ ଆତ୍ମହତ୍ୟା କରିଛନ୍ତି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ୫ ଜଣଙ୍କ ମୃତଦେହ ଉଦ୍ଧର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପ୍ରାଥମିକ ତଦନ୍ତରୁ ପତ୍ନୀ ସହ କଳହ କରିବା ପରେ ସ୍ବାମୀ ଏହି ବର୍ବର କାଣ୍ଡ ଭିଆଇଥିବା ଜଣାପଡ଼ିଛି । ତେବେ ସେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବୋଲି ଜଣାପଡିଛି । ମୃତକ ପିଲାମାନେ ହେଲେ ୧୩ ବର୍ଷ ବୟସ୍କ ଝିଅ ସ୍ମୃତି, ୯ ବର୍ଷ ବୟସ୍କ କୀର୍ତ୍ତି, ୭ ବର୍ଷର ପ୍ରଗତି ଏବଂ ୫ ବର୍ଷର ରିଷଭ । ହତ୍ଯାକାରୀ ବାପା ରାଜୀବ କାଥେରିଆଙ୍କୁ ୩୬ ବର୍ଷ ।