ପିତୃ ଦିବସରେ ଶ୍ୱଶୁରକୁ କାଠ ଫାଳିଆରେ ମାରିଦେଲା ବୋହୂ

ଗଞ୍ଜାମ: ପିତୃ ଦିବସରେ ଶ୍ୱଶୁରକୁ ହତ୍ୟା  ।  ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ । ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟଛି । ମୃତ ଶ୍ୱଶୁର ହେଲେ 55 ବର୍ଷର ସୀମାଞ୍ଚଳ ନାୟକ । ସୀମାଞ୍ଚଳଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ବଡ଼ପୁଅ ବିବାହିତ ଓ ସେ ସୁରତରେ କାମ କରନ୍ତି । ସାନପୁଅ ଓ ଝିଅ ମଧ୍ୟ ଅନ୍ୟ ରାଜ୍ୟରେ କାମ କରୁଛନ୍ତି ।

ବଡପୁଅର ସ୍ତ୍ରୀ ସୁଲତା ଓ ଶ୍ୱଶୁର ସୀମାଞ୍ଚଳ ଗାଁରେ ରହୁଥିଲେ । ଶ୍ୱଶୁର ଓ ବୋହୂ ମଧ୍ୟରେ ପ୍ରତିଦିନ ଟିକିଏ ଟିକିଏ କଥାରେ ଝଗଡ଼ା ହେଉଥିଲା । ଅଭିଯୋଗ ଅନୁସାରେ, ଶ୍ବଶୁର ସୀମାଞ୍ଚଳ ବିଭିନ୍ନ ସମୟରେ ମଦ୍ୟପାନ କରି ବୋହୂକୁ ମାରପିଟ କରୁଥିଲେ । ବିଭିନ୍ନ ସମୟରେ ବୋହୂ ଏହାକୁ ପ୍ରତିବାଦ କରି ଆସୁଥିଲେ  । ଶ୍ବଶୁରଙ୍କ ଏପରି କାର୍ଯ୍ୟକୁ ବିରୋଧ କରିଆସୁଥିଲେ  ।

ତେବେ ଏହି କାରଣରୁ ହିଁ ଶ୍ୱଶୁର ସୀମାଞ୍ଚଳଙ୍କୁ ବୋହୂ ସୁଲତା ହତ୍ୟା କରିଥିବା ଅନୁମାନ କରାଯାଉଛି । ଘରେ କେହି ନଥିବାବେଳେ ଘଟିଛି ଏହି ହତ୍ୟାକାଣ୍ଡ ।  ଆସିକା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କାଠ ଫାଳିଆ ଜବତ କରି ତଦନ୍ତ ଆରମ୍ଭ କରିଛି  ।  ବୋହୂ ସୁଲତାକୁ ପୋଲିସ ଥାନାରେ ଅଟକ ରଖିବା ସହ ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚରା ଜାରି ରଖିଛି  ।