ବିବାହ ପାଇଁ ପୁଅର ଜିଦ୍, ମନାକରିବାରୁ ପୁଅର କାଠ ଫାଳିଆ ମାଡରେ ବାପା ମୃତ

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ପୁଅର କାଠ ଫାଳିଆ ମାଡରେ ବାପା ମୃତ  । ମୃତକ ଜଣକ ହେଉଛନ୍ତି ଯୋଡ଼ା ପୌରାଞ୍ଚଳର ୧୩ ନଂ ୱାର୍ଡ ବାଂଶପାଣି ଅଞ୍ଚଳର ଅଜୟ ସେଠୀ । ପୁଅର ଏକା ଜିଦ୍ ବାହା ହେବ। ହେଲେ ବାପା ଚାହୁଁଥିଲେ ପୁଅ ଆଗ ଭଲକରି କାମ ଧନ୍ଦା କରୁ, ତା’ ପରେ ଯାଇ ବାହା ହେବ । ତେବେ ଏହି କଥାକୁ ନେଇ ବାପ ଓ ପୁଅଙ୍କ ମଧ୍ୟରେ ହୋଇଥିଲା ଜୋରଦାର ବଚସା ।  ଗତକାଲି ରାତିରେ ଏହି କଥାକୁ ନେଇ ଉଭୟ ବାପ ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଆଉ ତା’ପରେ ଉତକ୍ଷିପ୍ତ ସୈତାନ୍ ପୁଅ କେହି କିଛି ବୁଝିବା ଆଗରୁ ଏକ କାଠ ଫାଳିଆ ନେଇ ସିଧା ବାପାଙ୍କ ମୁଣ୍ଡକୁ ପିଟିଦେଇଥିଲା । ଘଟଣାଟି ଘଟିଛି ଯୋଡ଼ା ପୌରାଞ୍ଚଳର ୧୩ ନଂ ୱାର୍ଡ ବାଂଶପାଣି ଅଞ୍ଚଳରେ ।

ପରିବାର ଲୋକେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ ହେଉଛନ୍ତି ଯୋଡ଼ା ଥାନା ବାଂଶପାଣି ଟୋଲ ଗେଟ୍ ଅଞ୍ଚଳର ଅଜୟ ସେଠୀ । ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଯୋଡ଼ା ପୋଲିସ୍ ଘଟଣାର କରି ଛାନବିନ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅ ବିକାଶ ସେଠୀକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।