ନିଜ ଟଙ୍କା ପାଇଁ ବାପା ପୁଅଙ୍କ ଧାରଣା, ରାତିରେ ତାଲା ପକାଇ ପଳାଇଲେ ବ୍ୟାଙ୍କ କର୍ମଚାରୀ

1 min read

ନୟାଗଡ଼: ନିଜର ୪୦ ଲକ୍ଷ ଟଙ୍କା ଫେରି ପାଇବାକୁ ପୁଅ ଏବଂ ବୃଦ୍ଧ ବାପା ଧାରଣା ଦେଇଛନ୍ତି l ନୟାଗଡ଼ ଆଇଡିବିଆଇ ବ୍ୟାଙ୍କ ଭିତରେ ରାତିସାରା ବାପା, ପୁଅ ଧାରଣା ଦେଇଛନ୍ତି l ଗତକାଲି ସେମାନେ ଧାରଣାରୁ ନ ହଠିବାରୁ ବ୍ୟାଙ୍କରେ ତାଲା ପକାଇ ଚାଲିଯାଇଥିଲେ ବ୍ୟାଙ୍କ କର୍ମଚାରୀ । ଫଳରେ ବାପ ପୁଅ ରାତିସାରା ବ୍ୟାଙ୍କ ଭିତରେ ରହିଥିବାରୁ ଆଜି ବାହାରେ ଉତ୍ତେଜନା ପ୍ରକାଶ ପାଇଛି ।

ଘଟଣା ଅନୁଯାୟୀ, ନୟାଗଡ଼ ତହସିଲ ମୁକ୍ତାପୁରରେ ବାଇପାସ କାମ ପାଇଁ ଦଶପଲା ମଧ୍ୟଖଣ୍ଡର ରଜନୀ ପ୍ରଧାନଙ୍କର ୨୫ ଡିସିମିଲି ଜାଗା ଯାଇଥିଲା  l ଏଥିପାଇଁ ତାଙ୍କୁ କ୍ଷତିପୂରଣ ବାବଦରେ ମିଳିଥିବା ୪୦ ଲକ୍ଷ ଟଙ୍କା ଆଇଡିବିଆଇରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଆସିଥିଲା l ହେଲେ ଏହି ଟଙ୍କାକୁ ଜାଲିଆତି କରି ରଜନୀଙ୍କ ଠାରୁ ଟିପ ଚିହ୍ନ ନେଇ ୩ ଜଣ ବ୍ୟକ୍ତି ନେଇଯାଇଥିବା ଅଭିଯୋଗ ହୋଇଛି l

ଏହାକୁ ନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି l ଏହି ଜାଲିଆତି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା କହିଛନ୍ତି ରଜନୀ। ଏବେ ନିଜ ୪୦ ଲକ୍ଷ ଟଙ୍କା ଫେରିପାଇବାକୁ ଧାରଣା ଦେଇଛନ୍ତି ବାପା ପୁଅ l ଏ ନେଇ ବ୍ୟାଙ୍କ କର୍ମଚାରୀ କ୍ୟାମେରା ସମ୍ମୁଖରେ କିଛି ପ୍ରତିକ୍ରିୟା ଦେଇନଥିବା ବେଳେ, ଯାହା ହୋଇଛି ନିୟମ ଅନୁସାରେ ହୋଇଛି କହି ପଳାଇ ଯାଇଛନ୍ତି  l