ଚାନ୍ଦବାଲି କଲେଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଜଣେ ଛାତ୍ର ମୃତ, ୨ ଗୁରୁତର

ଭଦ୍ରକ : ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ସ୍କୁଟି, ଜଣେ କଲେଜ ଛାତ୍ର ମୃତ ଓ ୨ଜଣ ଛାତ୍ର ଗୁରୁତର । ଭଦ୍ରକ ଜିଲ୍ଲା ଚାନ୍ଦବାଲି କଲେଜ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତ ଛାତ୍ର ହେଲେ କାଣ୍ଡଗରଡ଼ିର ବଳରାମ ନାୟକଙ୍କ ପୁଅ ସତ୍ୟବ୍ରତ ନାୟକ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ,  ୩ ଜଣ ଛାତ୍ର ଚନ୍ଦବାଲି କଲେଜ ପଛପଟ ଗେଟରୁ ଏକ ସ୍କୁଟି ଯୋଗେ ଦ୍ରୁତଗତିରେ ବାହାରି ଥିଲେ । ହେଲେ ଭାରସାମ୍ୟ ହରାଇ କଲେଜ ଗେଟ୍‌ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟିରେ ପିଟି ହୋଇଯାଇଥିଲେ । ଆହତ ଅବସ୍ଥାରେ ୩ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ । ୨ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି ।