ଆପଣଙ୍କର ଗାଡ଼ି ଅଛି କି ? ଫାସଟାଗ୍ କଣ ଜାଣନ୍ତୁ, ନହେଲେ ଡିସେମ୍ୱର ୧ରୁ ଟୋଲ୍ ଗେଟରେ ଦେବେ ୨ ଗୁଣା ନଗଦ

1 min read

ଭୁବନେଶ୍ୱର : ଏଣିକି ଜାତୀୟ ରାଜପଥରେ ଗାଡ଼ି ଚଳାଇବାକୁ ହେଲେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଗାଡ଼ିର କାଗଜପତ୍ର ଠିକ୍ ଠାକ୍ ନଥିଲେ ଟୋଲ୍ ଗେଟରେ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଫାଇନ୍ । କାରଣ ଡିସେମ୍ୱର ୧ ତାରିଖରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି ଇଲେକ୍ଟ୍ରୋନିକ୍ ଟାଗ୍ ବା ଫାସଟାଗ୍ ବ୍ୟବସ୍ଥା।

ଜାତୀୟ ଇଲେକ୍ଟ୍ରୋନିକ୍ ଟୋଲ୍ ଆଦାୟ ଓ୍ୱେବସାଇଟର ତଥ୍ୟ ଅନୁସାରେ ଫାସଟାଗ୍ ହେଉଛି ଏଭଳି ଏକ ଯନ୍ତ୍ର ଯାହା ରେଡିଓ ଫ୍ରିକ୍ୱେନସି ଆଇଡିନଟିଫିକେସନ୍ ଟେକ୍ନୋଲୋଜି ମାଧ୍ୟମରେ ଟୋଲ୍ ପରିଚାଳିତ କରିଥାଏ । ଡିସେମ୍ୱର ୧ ତାରିଖରୁ ଦେଶର ସମସ୍ତ ୪୫୦ଟି ଟୋଲ୍ ପ୍ଲାଜାରେ ଏହାକୁ ଲାଗୁ କରାଯିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଫାସଟାଗ୍ ବ୍ୟବହାର କରୁନଥିବା ଗାଡ଼ି ଚାଳକ ଫାଷ୍ଟଟାଗ୍ ଲେନରେ ଗଲେ ୨ ଗୁଣା ଟୋଲ୍ ଦେବେ । ଜୁଲାଇ ମାସରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ଏ ନେଇ ନୂଆ ନିୟମ ଲାଗୁ କରିସାରିଛି । ଏହା ଡିସେମ୍ୱର ମାସରୁ ଲାଗୁ ହେବ ।

ଫାସଟାଗ୍ ବ୍ୟବସ୍ଥା ଲାଗୁ ହେବା ପରେ, ଟୋଲ ଗେଟ ଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରାଯିବା ସହ, ଡିଜିଟାଲ୍ ପେମେଣ୍ଟ ମଧ୍ୟ ସହଜ ହୋଇପାରିବ । ଅଧିକ ସମୟଧରି ଆଉ ଟୋଲ୍ ଗେଟରେ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ଫାସଟାଗ୍ କଣ ?

ଫାସଟାଗ୍ ହେଉଛି ଏକ ଇଲେକ୍ଟ୍ରୋନିକ୍ ଟ୍ୟାଗ୍ ବ୍ୟବସ୍ଥା । ଏହା ଏକ ପ୍ରି-ପେଡ୍ ଟ୍ୟାଗ୍ ସର୍ଭିସ୍ । ଥରୁଟିଏ ଏହା ଆକ୍ଟିଭ୍ ହେବା ପରେ ଗାଡ଼ିର ଓ୍ୱିଣ୍ଡସ୍କ୍ରିନରେ ଏହାକୁ ଲଗାଇ ଦିଆଯିବ । ଟୋଲ୍ ଗେଟରେ ଥିବା ଏଣ୍ଟିନା ଫାସଟାଗ୍ ଲାଗିଥିବା ଗାଡିକୁ ତୁରନ୍ତ ରେଡିଓ ଫ୍ରିକ୍ୱେନ୍ସିରେ ସ୍କାନ କରିପାରିବ । ଗାଡ଼ି ଚାଲୁଥିବା ଅବସ୍ଥାରେ ଏହାକୁ ସ୍କାନ୍ କରି ଆପେ ଆପେ ଛାଡ଼ିଦେବ।

ଫାସଟାଗ୍ ସହିତ ଟୋଲ୍ ପ୍ଲାଜା ଅତିକ୍ରମ କଲେ କଣ ହେବ ?

ଗାଡ଼ିରେ ଫାଷ୍ଟଟାଗ୍ ଲାଗିଥିଲେ ଫାସଟାଗ୍ ସହିତ ପୂର୍ବରୁ ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରୁ ନିର୍ଧାରିତ ଟୋଲ୍ ପରିମାଣ ଗେଟରେ କଟିଯିବ ।  ଏହାପରେ ରେଜିଷ୍ଟର ମୋବାଇଲ ନମ୍ୱରରେ ଏକ ମ୍ୟାସେଜ୍ ଆସିବ । ତେଣୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ କିମ୍ୱା ଟଙ୍କା ଦେବାକୁ ମଧ୍ୟ ପଡ଼ିବ ନାହିଁ । ଭାରତୀୟ ରାଜପଥ ମ୍ୟାନେଜମେଣ୍ଟ କଂପାନୀ ଲିମିଟେଡ ଫାସଟାଗକୁ ପରିଚାଳିତ କରୁଛି ।

ବିନା ଫାସଟାଗରେ ଟୋଲ୍ ଗେଟ୍ ଅତିକ୍ରମ କଲେ କଣ ହେବ ?

ଡିମେସ୍ୱର ୧ ତାରିଖରୁ ଫାଷ୍ଟଟାଗ୍ ଲେନରେ ବିନା ଫାଷ୍ଟଟାଗରେ ଯାତ୍ରା କଲେ ଆପଣଙ୍କୁ ଫାଇନ୍ ଦେବାକୁ ପଡ଼ିବ । ଟୋଲ ଅର୍ଥର ଦୁଇଗୁଣା ନଗଦ ଦେବେ । ଏହା ବାଧ୍ୟତାମୂଳକ ।

କେମିତି କିଣିବେ ଫାସଟାଗ୍ ?

ଫାସଟାଗକୁ ଉଭୟ ଅନଲାଇନ୍ ଓ ଅଫଲାଇନରେ କିଣାଯାଇ ପାରିବ । ଦେଶରେ ବିଭିନ୍ନ ବ୍ୟାଙ୍କରୁ ପ୍ରତିଷ୍ଠା ହୋଇଥିବା ୨୮ ହଜାର ପଏଣ୍ଟ ଅଫ୍ ସେଲରୁ ଏହାକୁ ନିଆଯାଇପାରିବ । ବିଭିନ୍ନ ବ୍ୟାଙ୍କରୁ ମଧ୍ୟ ଏହାକୁ ଲାଗୁ କରାଯାଇପାରିବ । ଜାତୀୟ ରାଜପଥ ଫି ପ୍ଲାଜା, ଆରଟିଓ ଅଫିସ, କମନ୍ ସର୍ଭିସ୍ ସେଣ୍ଟର, ଟ୍ରୋନ୍ସପୋର୍ଟ ହବ୍ ପ୍ରଭୃତିରୁ ମିଳିପାରିବ ଫାସଟାଗ୍ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଏଚଡିଏଫସି, ଆଇଡିଏଫସି ବ୍ୟାଙ୍କ, ପେଟିମ୍, ଆମାଜନ୍ ପ୍ରଭୃତିରୁ ଅନଲାଇନ୍ ଏହାକୁ କିଣାଯାଇପାରିବ । ତେବେ ଡିସେମ୍ୱର ୧ ତାରିଖ ପୂର୍ବରୁ ଏହାକୁ କିଣିବା ଦରକାର ।

ଫାସଟାଗ୍ କିଣିବାକୁ କଣ କାଗଜପତ୍ର ଦରକାର ?

ଫସଟାଗ୍ କିଣିବାକୁ ଦରକାର କେଓ୍ୱାଇସି, ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍, ଠିକଣା ପ୍ରମାଣପତ୍ର ଏବଂ ଗୋଟିଏ ପାସପୋର୍ଟ ଫଟୋର ଆବଶ୍ୟକତା ରହିଛି ।

Leave a Reply