spot_img

Latest Posts

ପୁଣି ବଦଳିଲା କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନିୟମ

ନନ୍ଦିଘୋଷ ବ୍ୟୁରୋ: ପୁଣି ବଦଳିଲା କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନିୟମ। ନମ୍ବର ପ୍ଲେଟ ପରେ ଏବେ ଫାସଟ୍ୟାଗ୍ ଉପରେ ନୂଆ ଆଇନ ଛାଟ। ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହେଲାଣି। କାରଣ ଜାନୁଆରୀ ୩୧ ସୁଦ୍ଧା କେଓ୍ବାଇସି ପୂରଣ ନକଲେ, ଅକାମୀ ହୋଇଯିବ ଫାସଟ୍ୟାଗ । ଧୀରେ ଧୀରେ ବିବାଦକୁ ଆସୁଥିବା ୱାନ୍ ଭେଇକିଲ ୱାନ୍ ଫାସଟ୍ୟାଗ୍ ଅଭିଯାନରେ ଏକାଧିକ ଫାସଟ୍ୟାଗ୍ ହୋଇଯିବ କଳାତାଲିକାଭୁକ୍ତ। ଏହାକୁ ନେଇ ଏବେଠାରୁ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିଲାଣି।

କେନ୍ଦ୍ର ସରକାରଙ୍କ ମନମୁଖୀ ନିୟମ ଯୋଗୁ ଦୁଇ ସପ୍ତାହ ଭିତରେ ଦେଖିବାକୁ ମିଳିପାରେ ନୋଟବନ୍ଦୀ ପରି ଲମ୍ବା ଲାଇନ୍। ବାରମ୍ବାର ନିୟମ ପରିବର୍ତ୍ତନ କରି ଲୋକଙ୍କୁ ଅସୁବିଧାରେ ପକାଇବାରେ ଲାଗିଛି କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ । ଗୋଟାଏ ଗାଡ଼ିରେ ଏକାଧିକ ଫାସଟ୍ୟାଗ୍ ଥିଲେ ଜାନୁଆରୀ ୩୧ ପରେ ଗୋଟିଏକୁ ଛାଡ଼ି ଅନ୍ୟ ସବୁ ଫାଷ୍ଟଟ୍ୟାଗ୍ ବ୍ଲାକଲିଷ୍ଟ ହୋଇଯିବ। ଫଳରେ ଫାସଟ୍ୟାଗ୍ ଉପଭୋକ୍ତାଙ୍କୁ ନିକଟସ୍ଥ ଟୋଲ ପ୍ଲାଜା କିମ୍ବା ବ୍ୟାଙ୍କର କଷ୍ଟମର କେୟାର ବାହାରେ ଲମ୍ବାର ଲାଇନରେ ଠିଆ ହେବାକୁ ପଡ଼ିବ। ଗୋଟିଏ ଫାସଟ୍ୟାଗ୍ ଏକାଧିକ ଗାଡ଼ିରେ ବ୍ୟବହାର କରାଯାଇ ପାରିବନି। ୱାନ୍ ଭେଇକିଲ ୱାନ୍ ଫାସଟ୍ୟାଗ୍ କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ଗାଡ଼ି ମାଲିକଙ୍କୁ ସେମାନଙ୍କ ଫାସଟ୍ୟାଗ୍ ପାଇଁ କେଓ୍ବାଇସି ପୂରଣ କରିବାକୁ ପଡ଼ିବ। ବାଲାନ୍ସ ଥିଲେ ବି ଅସଂପୂର୍ଣ୍ଣ କେଓ୍ବାଇସି ଥିବା ଫାସଟ୍ୟାଗକୁ ନିଷ୍କ୍ରିୟ କରିବା ସହ ବ୍ଲାକଲିଷ୍ଟ କରିଦେବେ ବ୍ୟାଙ୍କ। ଏକାଧିକ ଫାସଟ୍ୟାଗ୍ କ୍ଷେତ୍ରରେ ସଦ୍ୟତମ ଫାସଟ୍ୟାଗକୁ ଛାଡ଼ି ଅନ୍ୟ ସବୁକୁ ନିଷ୍କ୍ରିୟ କରାଯିବ। ହଠାତ୍ ଏ ନିୟମ ଆସିବାରୁ ସାଧାରଣ ଜନତା ଚିନ୍ତାରେ ପଡ଼ିଛନ୍ତି। କାରଣ ହାତରେ ଅଳ୍ପ ଦିନ ଅଛି। ଘର କାମ, ଅଫିସ୍ କାମ ଭିତରେ କେତେବେଳେ ସମୟ ବାହାର କରି ପୁଣି କେଓ୍ବାଇସି ପୂରଣ କରିବେ, ତାକୁ ନେଇ ଚିନ୍ତା ବଢିଛି।

ଟୋଲ୍ ପ୍ଲାଜାରେ ଗୋଟିଏ କମ୍ପାନିର ଫାସଟ୍ୟାଗ୍ କାମ ନକଲେ, ଲୋକେ ବାଧ୍ୟ ହୋଇ ଅନ୍ୟ କମ୍ପାନିର ଫାସଟ୍ୟାଗ୍ ଲଗାଉଛନ୍ତି। ଟୋଲ୍ ପ୍ଲାଜାରେ ଏଭଳି ସମସ୍ୟାର ତତ୍କାଳ ସମାଧାନ ହୋଇପାରୁଥିଲେ ଏକାଧିକ ଫାଷ୍ଟଟ୍ୟାଗ୍ ଲଗାଇବାକୁ ପଡୁନଥାନ୍ତା। ଏପଟେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତ, ଫାସଟ୍ୟାଗ୍ ଆସିବା ପରେ ବି ଟୋଲ୍ ପ୍ଲାଜାରେ ନିରବଚ୍ଛିନ୍ନ ଯାତାୟାତ ସୁଗମ ହୋଇପାରିନି। ଅନେକ ସମୟରେ ଟୋଲ ପ୍ଲାଜାରେ ବହୁ ଗେଟ୍ ବନ୍ଦ ରହୁଛି। ଫଳରେ ଲୋକଙ୍କୁ ଏବେବି ଲାଇନ ଲଗାଇବାକୁ ପଡୁଛି। କେନ୍ଦ୍ର ସରକାର ପ୍ରଥମେ ଏସବୁ ସମସ୍ୟାର ସମାଧାନ କରନ୍ତୁ। ଦେଶରେ ଏବେ ୮କୋଟିରୁ ଅଧିକ ଫାସଟ୍ୟାଗ୍ ଉପଭୋକ୍ତା ଅଛନ୍ତି। ପ୍ରାୟ ୯୮ ପ୍ରତିଶତ ଗାଡ଼ିରେ ଫାସଟ୍ୟାଗ୍ ଲାଗିଛି । ନୂଆ ଫାସଟ୍ୟାଗ୍ ପ୍ଲେଟ ଜରିଆରେ ଲୋକଙ୍କୁ ଆର୍ଥିକ ବୋଝ ଦେଇ କେନ୍ଦ୍ର ସରକାର ରାଜସ୍ବ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ଅଭିଯୋଗ ହୋଇଛି। ଏ ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଉପସ୍ଥାପନ କରାଯିବ।

Latest Posts

Don't Miss