ଆବଶ୍ୟକ ପଡ଼ିଲେ ସଂସଦରେ ଚାଷୀ ବିକିବେ ଧାନ: ଚାଷୀ ନେତା ରାକେଶ ଟିକାୟତ

1 min read
Farmers Will Sell Their Crops At Parliament, If Required Farmer Leader Rakesh Tikait

ନୂଆଦିଲ୍ଲୀ: କେନ୍ଦ୍ରର ତିନିଗୋଟି କୃଷି ଆଇନକୁ ନେଇ ବିରୋଧ ଜାରି ରହିଛି । ଦିଲ୍ଲୀ ସୀମାରୁ ଆରମ୍ଭ ହୋଇଥିବା କୃଷକଙ୍କ ବିରୋଧର ସ୍ୱର ମହାପଞ୍ଚାୟତ ମାଧ୍ୟମରେ ପ୍ରତି ରାଜ୍ୟରେ ପହଞ୍ଚୁଛି । ଭାରତୀୟ କିଷାନ ୟୁନିୟନର ନେତା ରାଜ୍ୟ ରାଜ୍ୟ ବୁଲି ମହାପଞ୍ଚାୟତ ଆୟୋଜନ କରୁଛନ୍ତି । ମଙ୍ଗଳବାର ସହିଦ ଦିବସ ଅବସରରେ ରାଜସ୍ଥାନର ଜୟପୁରରେ ଆୟୋଜିତ ସଭାରେ ବିକେୟୁ ନେତା ରାକେଶ ଟିକାୟତ କହିଛନ୍ତି- ଆବଶ୍ୟକ ପଡ଼ିଲେ, ଆମେ ଉତ୍ପାଦନ ଶସ୍ୟକୁ ସଂସଦ ପରିସରରେ ବିକ୍ରି କରିବୁ ।

ଟିକାୟତ କହିଛନ୍ତି- ଚାଷୀ ଭାଗ ଭାଗ ହୋଇନାହାଁନ୍ତି । ଦରକାର ହେଲେ ଚାଷୀ ସଂସଦରେ ଯାଇ ଧନ ବିକିବେ । ପ୍ରଧାନମନ୍ତ୍ରୀ କହିଥିଲେ ଚାଷୀ ଦେଶର କେଉଁଠି ବି ଫସଲ ବିକି ପାରିବେ । ମଣ୍ଡି ବାହାରେ ଜିଲ୍ଲାପାଳ ଅଫିସ୍, ବିଧାନସଭା ଓ ସଂସଦରେ ଫସଲ ବିକ୍ରି କରି ଆମେ କୃଷକଙ୍କ ଶକ୍ତି ଦେଖାଇବୁ ବୋଲି ଟିକାୟତ କହିଛନ୍ତି । ଏଥିସହ ପୁଣି ଟ୍ରାକ୍ଟର ନେଇ ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତ ରହିବାକୁ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଟିକାୟତ ।

କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ ଏକାଧିକ ବାର ବୈଠକ ପରେ ବି ନିଷ୍କର୍ଷ ବାହାରି ପାରିନି । ଅନ୍ୟପଟେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଦେଶବ୍ୟାପୀ କୃଷି ଆଇନ୍ ବିରୋଧରେ କୃଷକ ଆରମ୍ଭ କରିଛନ୍ତି ଅଭିଯାନ ।

ଦେଶରେ ଏକସଙ୍ଗରେ ‘ଜୟ ରାମ’ ଏବଂ ‘ଜୟ ଭୀମ’ ସ୍ଲୋଗନ ଶୁଭିଲେ ହିଁ ଦେଶ ବଞ୍ଚିବ ବୋଲି ଟିକାୟତ କହିଛନ୍ତି । ଗତବର୍ଷ ସେପ୍ଟେମ୍ବରରେ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ କହି ମୋଦି ସରକାର ସଂସଦରେ ତିନୋଟି କୃଷି ବିଲ୍ ଆଗତ କରିଥିଲେ । କୁହାଯାଇଥିଲା- ଏହି ବିଲ୍ ଦ୍ୱାରା ମଧ୍ୟସ୍ଥି ହଟିବା ସହ ଚାଷୀ ଦେଶର କୌଣସି ସ୍ଥାନରେ ଫସଲ ବିକି ପାରିବେ ।

Leave a Reply