Farmers’ Protest: ଚାଷୀଙ୍କ ଦାବି; ଆଲୋଚନାକୁ ମୋଦି ନିଜେ ଆସନ୍ତୁ

ନୂଆଦିଲ୍ଲୀ: ଚାଷୀଙ୍କ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି । ଅନ୍ୟପକ୍ଷରେ କୃଷକ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଚାଷୀ ସଙ୍ଗଠନମାନେ ସ୍ଥିର କରିଛନ୍ତି । ଦିଲ୍ଲୀ ସୀମାରେ ପ୍ରତିଦିନ ଚାଷୀଙ୍କ ସଂଖ୍ୟା ବଢୁଛି । ଯାହା ଫଳରେ ସୀମାରେ ଉତ୍ତେଜନା ବଢିବା ସହ ଟ୍ରାଫିକ୍ ବ୍ୟବସ୍ଥା କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବା ବେଳେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କର ବଡ ବୟାନ ଆସିଛି ।

ସେ କହିଛନ୍ତି ଯେ, ଚାଷୀମାନଙ୍କୁ ମୋର ଅନୁରୋଧ ଯେ ସେମାନେ ପ୍ରଥମେ ଆଇନର ପ୍ରାବଧାନ ସମ୍ପର୍କରେ ସବିଶେଷ ସୂଚନା ନିଅନ୍ତୁ । ଅନେକ ବିଚାରବିମର୍ଷ ପରେ କୃଷି ଆଇନରେ ଏହି ସଂସ୍କରଣ କରାଯାଇଛି । ଯଦି ତଥାପି ଆଇନ ସହ ଚାଷୀଙ୍କର ସମସ୍ୟା ଅଛି ତେବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାରେ କୌଣସି ଦ୍ୱିଧା ନାହିଁ । ଆମେ ଚାଷୀଙ୍କ ସହ ଦୃଢ ଭାବେ ଠିଆ ହେବା ପାଇଁ ପ୍ରସ୍ତୁତ ଅଛୁ । ଆସନ୍ତାକାଲି ବୈଠକରେ ପୁଣି ଥରେ ଏମଏସପି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ ।

ଏକ ସମାଧାନ ମିଳିବା ନେଇ ଆମେ ଆଶାବାଦୀ ଅଛୁ । ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି । ସରକାର ଆନ୍ଦୋଳନର ଦାବି ନମାନିଲେ ପରିସ୍ଥିତି ଅଣାୟତ୍ତ ହେବ । ମନ୍ତ୍ରୀ କିମ୍ୱା ସରକାରଙ୍କ ଉଚ୍ଚ ପଦାଧିକାରୀ ନୁହେଁ ବରଂ ଆମେ ମୋଦିଙ୍କ ସହ ସିଧାସଳଖ ଭାବେ ଆଲୋଚନା ଚାହୁଁଛୁ ବୋଲି ଚାଷୀ ସଙ୍ଗଠନ ସ୍ପଷ୍ଟ କରିଛି ।

Leave a Reply