ଆଜି ଚାଷୀଙ୍କ ରେଳରୋକ , ଗହମର କ୍ରୟ ମୂଲ୍ୟ ହ୍ରାସ ନେଇ କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ

1 min read

ପଂଜାବ : ଗହମର କ୍ରୟ ମୂଲ୍ୟ ହ୍ରାସ ନେଇ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଚାଷୀଙ୍କ ରଣହୁଙ୍କାର । ଆଜି ଦେଶର ବିଭିନ୍ନ ସ୍ଥାନରେ ରେଳରୋକ କରିବେ ୩୨ଟି ଚାଷୀ ସଂଗଠନ । ଚାରିଘଣ୍ଟା ଲାଗି ରେଳ ଅବରୋଧ ଆନ୍ଦୋଳନ ଲାଗି ଡାକରା ଦେଇଥିଲେ ବିଭିନ୍ନ ସଂଗଠନ । ଯଦି ଏହି ନିଷ୍ପତ୍ତିର ପ୍ରତ୍ୟାହାର ନହୁଏ ତେବେ ଆଗକୁ ଆନ୍ଦୋଳନକୁ ତୀବ୍ର କରିବାକୁ ଦିଆଯାଇଛି ଧମକ । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଅନୁସାରେ ହିଁ ଗହମ କ୍ରୟ କରାଯାଉ । ଏହାଠାରୁ କମ୍ ମୂଲ୍ୟରେ ଗହମ କ୍ରୟ କରାଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଧମକ ଦେଇଛନ୍ତି ଚାଷୀ ସଂଗଠନ ।

ବିକେୟୁ ସାଧାରଣ ସମ୍ପାଦକ ଜଗମୋହନ ସିଂ କହିଛନ୍ତି- ଜଳବାୟୁ ପରିବର୍ତ୍ତନ ଯୋଗୁ ଗହମର ଗୁଣବତ୍ତା ପ୍ରଭାବିତ ହେଉଛି । ଏକ୍ଷେତ୍ରରେ ଚାଷୀଙ୍କ କିଛି କରିବାର ନାହିଁ । ଗତ କିଛି ଦିନ ତଳେ ଗହମର ମାନହ୍ରାସକୁ କାରଣ ଦର୍ଶାଇ ଗହମର କ୍ରୟମୂଲ୍ୟକୁ ହ୍ରାସ କରିବା ଲାଗି ଘୋଷଣା କରିଥିଲେ କେନ୍ଦ୍ର ସରକାର । ଏହି ନିଷ୍ପତ୍ତି ଦ୍ବାରା ଗହମର କ୍ବିଣ୍ଟାଲ ପିଛା ଦର ୩୧ ଟଙ୍କା ୭୮ ପଇସା ହ୍ରାସ ପାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିବାଦ କରିଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ବର୍ଷା ତଥା ଅନ୍ୟ ପ୍ରତିକୂଳ ପାଗ ଯୋଗୁ ଗହମ ଚାଷ ପ୍ରଭାବିତ ହୋଇ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବାବେଳେ ସରକାରଙ୍କ ଏହି ଦର ହ୍ରାସ ନିଷ୍ପତ୍ତି ବେଡି ଉପରେ କୋରଡା ମାଡ଼ ବୋଲି ଅଭିଯୋଗ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।