କୃଷକଙ୍କ ପୁଅ ହେଲେ ED ଅଫିସର: ଗାଁକୁ ମିଳିଲା ପ୍ରଥମ ସରକାରୀ ଚାକିରିଆ, ୧୫ କିମି ସାଇକେଲ ଚଳାଇ କରୁଥିଲେ ପ୍ରସ୍ତୁତି

1 min read

ଫରୁଖାବାଦ: ଆଜିର ସମୟରେ ସରକାରୀ ଚାକିରି ଖଣ୍ଡିଏ ପାଇବା ପ୍ରତ୍ୟେକ ଯୁବକଙ୍କ ଏକ ସ୍ବପ୍ନ ରହିଥାଏ । ତେବେ ଏହା ମଧ୍ୟରେ ସରକାରୀ ଚାକିରି ସହ ଜଡ଼ିତ ଏକ ପ୍ରେରଣାଦାୟକ କାହାଣୀ ସାମ୍ନାକୁ ଆସିଛି । କଠିନ ସଂଘର୍ଷ ବଳରେ ଯେ ସବୁକିଛି ସମ୍ଭବ ହୋଇପାରିବ, ତାହା ଜଣେ ଗରିବ ଘରର ପୁଅ ଆଜି ସଭ୍ୟ ସମାଜକୁ ଜଣାଇ ଦେଇଛନ୍ତି । ୧୫ କିମି ସାଇକେଲ ଚଳାଇ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଜଣେ ଗରିବ କୃଷକଙ୍କ ପୁଅ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଜଣେ ଅଫିସର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି କ୍ରମରେ ଗାଁକୁ ପ୍ରଥମ ସରକାରୀ ଚାକିରିଆ ମିଳିପାରିଛି । ଗରିବ କୃଷକଙ୍କ ପୁଅ ସରକାରୀ ଚାକିରି ପାଇବା ପରେ ସାରା ଗାଁରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ଫରୁଖାବାଦର ଆୟୁଷ ରାଜପୁତ ମୁସ୍କିଲ ପରିସ୍ଥିତିରେ ହାର ନ ମାନି SSC CGL ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆୟୁଷ ଇଡିରେ ଆସିଷ୍ଟାଣ୍ଟ ଏନଫୋର୍ସମେଣ୍ଟ ଅଫିସର ଚାକିରି ପାଇଛନ୍ତି । ତାଙ୍କର ଏହି ସଫଳତାରେ ଏବେ ସାରା ଗାଁ ଖୁସିରେ ଝୁମି ଯାଇଛି । ପ୍ରଥମ ଥର ଗାଁର ଜଣେ ଯୁବକ ସରକାରୀ ଚାକିରି ପାଇ ଇତିହାସ ରଚିପାରିଛନ୍ତି । ଆୟୁଷ ଦିନରେ ଜମିରେ କାମ କରୁଥିଲେ ଓ ଅନ୍ୟ ସମୟରେ ପଢ଼ାପଢ଼ି କରୁଥିଲେ । SSC CGL ପରୀକ୍ଷା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପି ଦେଇଥିଲେ । ଶେଷରେ ଆୟୁଷ ଇଡିରେ ସହାୟକ ପ୍ରବର୍ତ୍ତନ ଅଧିକାରୀ (AEO) ପଦରେ ନିଯୁକ୍ତି ପାଇବା ସହ ଅନ୍ୟମାନଙ୍କ ପାଇଁ ବଡ଼ ପ୍ରେରଣା ସାଜିଛନ୍ତି । ଗାଁର ଅନ୍ୟ ଯୁବକମାନଙ୍କ ପାଇଁ ଆୟୁଷ ଆଜି ରୋଲ ମଡେଲ ପାଲଟି ଯାଇଛନ୍ତି ।