Farmers ‘Rail Roko’ Protest: ଓଡ଼ିଶାରୁ ଉତ୍ତରପ୍ରଦେଶ,ରେଳ ଧାରଣାରେ ଚାଷୀ

1 min read

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ କରିଛନ୍ତି ଚାଷୀ। ଦିନ ୧୨ଟାରୁ ବିଭିନ୍ନ ସ୍ଥାନରେ ଚାଷୀମାନେ ରେଳଧାରଣା ଉପରେ ବସି ଆନ୍ଦୋଳନ କରୁଛନ୍ତି। ଏଥଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚାଷୀଙ୍କ ରେଳ ରୋକ ନେଇ ହାଇଆଲର୍ଟରେ ରହିଛି ପୋଲିସ। ବିଶେଷକରି ଉତ୍ତରପ୍ରଦେଶ, ହରୟାଣା ଓ ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

ହରିୟାଣାର ଅମ୍ବାଲାରେ ଶହ ଶହ ଚାଷୀ ରେଳ ଟ୍ରାକ ଉପରେ ବସି ରେଳରୋକ କରିଛନ୍ତି। ସେହିପରି ଦିଲ୍ଲୀର ଆଖପାଖ ଅଞ୍ଚଳରେ ମଧ୍ୟ ଚାଷୀ ରେଳ ଟ୍ରାକରେ ବସି ରେଳରୋକ କରିଛନ୍ତି। ସେପଟେ ଗାଜିପୁର ବର୍ଡ଼ର ନିକଟସ୍ଥ ମୋଦି ନଗର ରେଳ ଷ୍ଟେସନରେ ଚାଷୀ ଏକାଠି ହୋଇଛନ୍ତି। ସେହିଭଳି ବିହାରର ପାଟନାଠାରେ ଜନ ଅଧିକାରୀ ପାର୍ଟିର ସଦସ୍ୟମାନେ ପାଟନା ଜଙ୍କସନଠାରେ ରେଳ ଧାରଣାରେ ଶୋଇ ନୂଆ କୃଷି ଆଇନକୁ ବିରୋଧ କରିଛନ୍ତି।  ରେଲୱେ ପୋଲିସ ପକ୍ଷରୁ ମଧ୍ୟ ଏ ଦିଗରେ ସତର୍କ ଦୃଷ୍ଟି ରଖିଛି। ଚାଷୀଙ୍କ ରେଳ ରୋକ ଆନ୍ଦୋଳନ ଯୋଗୁ ଅନେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଦିଲ୍ଲୀ ଗାଜିପୁର ସୀମାକୁ ବନ୍ଦ କରିଦିଆଯାଇଛି। ଏଥିସହ ଦିଲ୍ଲୀ ମେଟ୍ରୋର ଅନେକ ଷ୍ଟେସନରେ ଏଣ୍ଟ୍ରି-ଏକଜିଟ୍ ବନ୍ଦ କରିଦିଆଯାଇଛି।

ଅନ୍ୟପଟେ ଭୁବନେଶ୍ୱରରେ ମଧ୍ୟ ରେଳରୋକ କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ସଂଗଠନ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଏହି ରେଳରୋକରେ ସାମିଲ ହୋଇଛନ୍ତି। ବିଶେଷକରି ସିବିୟୁଟି ,ଆମ ଅଧିକାର, ବିକେଏମୟୁ, ଏଆଇକେଏସ ରେଳ ରୋକରେ ସାମିଲ ହୋଇଛନ୍ତି। ପୁରୀ ହଉଡା ସ୍ବତନ୍ତ୍ର ଟ୍ରେନ ଷ୍ଟେସନରେ ଅଟକି ରହିଛି।

ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରେଳରୋକ ଡାକରା ଦିଆଯାଇଥିବା ବେଳେ ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଛି ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାଏତ୍। ସାରା ଦେଶରେ ଚାଷୀ ସଂଗଠନର ଡାକରାରେ ଆଜି ୪ ଘଣ୍ଟିଆ ରେଳ ରୋକ କରାଯାଉଛି।

Leave a Reply