ଚାଷୀଙ୍କ ଚକାଜାମ୍ ଡାକରା: ଦିଲ୍ଲୀ ସୀମାରେ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ତୀବ୍ର ହେଉଛି ଆନ୍ଦୋଳନ । ପ୍ରତିବାଦରେ ଆଜି ସାରା ଦେଶରେ ଦିଆଯାଇଛି ଚକାଜାମ୍ ଡାକରା । କୃଷକ ସଂଗଠନ ଆଜି ଦିନ ୧୨ଟାରୁ ୩ଟା ପର୍ଯନ୍ତ ଚକାଜାମ କରିବ । ଗାଡ଼ି ଚଳାଚଳ ବନ୍ଦ ରହିବ । ଏହି ସମୟରେ ଲୋକଙ୍କୁ କୃଷି ଆଇନ ସମ୍ପର୍କରେ ଅବଗତ କରାଇବେ ଚାଷୀ । ଏହା ପରେ ଚାଷୀମାନେ ଜିଲ୍ଲା ଓ ବ୍ଲକ ସ୍ତରରେ ଅଧିକାରୀଙ୍କୁ ନିଜ ସମସ୍ୟା ଜଣାଇବେ । ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଚକାଜାମ୍ ହେବନି ବୋଲି ଚାଷୀ ସଂଗଠନ କହିଛନ୍ତି । ଆଜିର ଚକାଜାମ ନିଷ୍ପତ୍ତିକୁ ସମର୍ଥନ କରିଛି ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରିବ । ବିକ୍ଷୋଭ ପ୍ରଦର୍ଶନ ସହ କୃଷକଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଲୋକଙ୍କୁ ବୁଝାଇବେ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା । ସେହିପରି ଚକାଜାମ୍ ନିଷ୍ପତ୍ତିକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ ।

ଅପରପକ୍ଷରେ ଦିଲ୍ଲୀ ପୋଲିସ ବର୍ଡର ଉପରେ ବୁହସ୍ତରୀୟ ବ୍ୟାରିକେଡ୍ ସହିତ କଣ୍ଟା ମଧ୍ୟ ଲଗାଇଛି । ଦିଲ୍ଲୀ ଭିତରରେ ମଧ୍ୟ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଛି । ବହୁ ସ୍ଥାନରେ କଣ୍ଟାଯୁକ୍ତ ତାର ମଧ୍ୟ ଲଗାଯାଇଛି । ପୋଲିସ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ କହିଛି । ଦିଲ୍ଲୀ ପୋଲିସର କହିବା ହେଲା ଯେ, ଯେଉଁ ଚାଷୀ ଦିଲ୍ଲୀ ବର୍ଡରେ ଆନ୍ଦୋଳନ କରୁଛନ୍ତି ସେମାନଙ୍କ ମଧ୍ୟରୁ କିଛି କୃଷକ ଦିଲ୍ଲୀ ସୀମାରେ ରହିଛନ୍ତି । ଅଧିକାଂଶ  କୃଷକ ଦିଲ୍ଲୀ ସୀମାର ଅନ୍ୟ ପଟେ ଉତ୍ତରପ୍ରଦେଶ ଏବଂ ହରିୟାଣାରେ ବସିଛନ୍ତି । ସଂଯୁକ୍ତ ପୋଲିସ କମିଶନର ଆଲୋକ କୁମାର କହିଛନ୍ତି ଦିଲ୍ଲୀ ପୋଲିସ ରାଜ୍ୟର ପୋଲିସ ବାହିନୀ ସମ୍ପର୍କରେ ରହିଛି ।

ଏଥିସହିତ ପଢ଼ନ୍ତୁ: ୧୨ ଲକ୍ଷ କୋଟି ଟଙ୍କା ଋଣ କରିବେ ସରକାର: ଜାଣନ୍ତୁ କିଭଳି ଓ କେଉଁଠୁ ଆଣିବେ ଋଣ

Leave a Reply