ଚାଷୀ ଖାଇଲେନି ସରକାରଙ୍କ ଖାଦ୍ୟ; ସିନ୍ଧୁ ସୀମାରୁ ଆସିଲା ଖାଦ୍ୟ…

ନୂଆଦିଲ୍ଲୀ: ଦିଲ୍ଲୀ ଚାଷୀ ଆନ୍ଦୋଳନ ୮ ଦିନରେ ପହଞ୍ଚିଲାଣି । ସରକାରଙ୍କ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଆଜି ୨ୟ ଆଲୋଚନା ହେଉଛି । ତେବେ ଆଜିର ବୈଠକରେ ଏଭଳି ଏକ ଘଟଣା ଘଟିଛି ଯାହା ଆଦୌ ସ୍ୱାଭାବିକ ନଥିଲା । ଆଲୋଚନା ମଝିରେ ସରକାର ଚାଷୀନେତାଙ୍କ ପାଇଁ ମଧ୍ୟାହ୍ଣ ଭୋଜନର ବ୍ୟବସ୍ଥା କରିଥିଲେ । ମାତ୍ର ଚାଷୀ ସରକାରଙ୍କ ପ୍ରଦତ୍ତ ଖାଦ୍ୟ ଗ୍ରହଣ କରିବାକୁ ମନା କରିଛନ୍ତି । ଚାଷୀ ସଙ୍ଗଠନର ନେତାମାନଙ୍କ ପାଇଁ ସିନ୍ଧୁ ସୀମା ପାଖରୁ ଖାଦ୍ୟ ଅଣାଯାଇଛି ଓ ଚାଷୀ ନେତାମାନେ ତାହାକୁ ହିଁ ଖାଇଛନ୍ତି । ଏକ ଆମ୍ୱୁଲାନ୍ସ ସହାୟତାରେ ସେମାନଙ୍କ ପାଇଁ ଖାଦ୍ୟ ଆସି ବିଜ୍ଞାନ ଭବନରେ ପହଞ୍ଚିଥିଲା ।

ଉଲ୍ଲେଖଯୋଗ୍ୟ ଯେ ସରକାର ନେତାମାନଙ୍କୁ ଖାଦ୍ୟ ଗ୍ରହଣ କରିବାକୁ କହିବା ପରେ ଚାଷୀମାନେ ଏଭଳି କରିବାକୁ ମନା କରିଥିଲେ । ଚାଷୀ ନେତାଙ୍କର କହିବା କଥା ଯେ, ସରକାର କୃଷି ଆଇନ ଆଣି ସେମାନଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିଛନ୍ତି । ଏହା ବିରୋଧରେ ଦିଲ୍ଲୀରେ ବ୍ୟାପକ ବିକ୍ଷୋଭ ଚାଲୁଛି । ଏଭଳି ସ୍ଥିତିରେ ସରକାରଙ୍କ ଆତିଥ୍ୟ ସ୍ୱୀକାର କରିବାର ପ୍ରଶ୍ନ ଉଠୁନାହିଁ । ଆମ ଚାଷୀ ଭାଇମାନେ ସୀମାରେ ଯେଉଁଭଳି ସ୍ଥିତିରେ ରହିଛନ୍ତି ଓ ଯାହା ଖାଉଛନ୍ତି ଆମେ ମଧ୍ୟ ସେମିତି ହିଁ ରହିବାକୁ ପସନ୍ଦ କରିବୁ । ତେଣୁ ସରକାରଙ୍କ ପ୍ରଦତ୍ତ ଖାଦ୍ୟ ଖାଇବାର ସାମାନ୍ୟତମ ଆଗ୍ରହ ଆମମାନଙ୍କ ମଧ୍ୟରେ ନାହିଁ ।

ଚାଷୀମାନଙ୍କ ପକ୍ଷରେ ଥିବା ଏକମାତ୍ର ମହିଳା ନେତା କବିତା ତାଲୁକଦାରଙ୍କ ପ୍ରଶ୍ନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ଅଲ ଇଣ୍ଡିଆ କିଷାନ ସଂଯୁକ୍ତ କମିଟିର ମଧ୍ୟ ସଦସ୍ୟ ଅଟନ୍ତି ।ଆଜି ବୈଠକରେ ସେ ସରକାରଙ୍କ ଭାଷାରେ ସରକାରଙ୍କୁ ପ୍ରଶ୍ନ କରି ତାର୍କିକ ଉତ୍ତର ମାଗିଥିଲେ । ଚାଷୀଙ୍କ ପକ୍ଷ ନେଇ ସେ କହିଥିଲେ ଯେ, ସରକାର ପ୍ରସଙ୍ଗକୁ ବୁଲାଇ ବୁଲାଇ କେବଳ ସମୟ ବରବାଦ କରିବାକୁ ଚାହୁଁଛନ୍ତି । ଆମର ଦାବି ଏକଦମ ସ୍ପଷ୍ଟ । ଏମଏସପି ଓ ଏହାର ଦରକୁ ସରକାର ଆଇନରେ ସ୍ଥାନିତ କରନ୍ତୁ ତେବେ ଯାଇ ଆମେ ଆନ୍ଦୋଳନ ପ୍ରତ୍ୟାହାର କରିବୁ ।

ତେବେ ପ୍ରଥମ ଥର ପାଇଁ ଚାଷୀଙ୍କ ପକ୍ଷରୁ ଏତେ ଦୃଢ ଯୁକ୍ତି ଉପସ୍ଥାପନା ଦେଖି ସରକାରଙ୍କୁ ବ୍ୟାକ୍ ଫୁଟରେ ଦେଖିବାକୁ ମିଳିଥିଲା । ସେହିଭଳି ଚାଷୀଙ୍କର ଏପିଏମସି ଆକ୍ଟର ୧୭ ତମ ପଏଣ୍ଟ ଉପରେ ମତଭେଦ, ଜରୁରୀ ଦ୍ରବ୍ୟ ଅଧିନିୟମର ୮ ନମ୍ୱର ପଏଣ୍ଟ ଉପରେ ମତଭେଦ ରହିଛି | ଏହା ବ୍ୟତୀତ ଚୁକ୍ତିଭିତ୍ତିକ ଚାଷରେ ୧୨ ନମ୍ୱର ପଏଣ୍ଟ ଉପରେ ମତଭେଦ ରହିଛି |

Leave a Reply