ଟିକେ ବର୍ଷାର ଲୋଭ ଦେଖାଇ ବର୍ଷା ଗାଏବ, ଏବେ ଧାନ ରୋଇ ଚିନ୍ତାରେ ଚାଷୀ
ନବରଙ୍ଗପୁର: ଆଷାଢ ଯାଇ ଶ୍ରାବଣ ଶେଷ ହେବାକୁ ବସିଲାଣି, ହେଲେ ବର୍ଷାର ଦେଖାନାହିଁ । ଚଳିତ ବର୍ଷ ପ୍ରଥମରୁ ବର୍ଷା ଦେଖି ଭଲ ଅମଳର ଆଶା ରଖିଥିଲେ ଚାଷୀ । ହେଲେ ଏବେ ଜୁନ୍ ଜୁଲାଇରେ ବର୍ଷା ଉଭେଇ ଯାଇଛି । ଆଉ ଚାଷ ଆରମ୍ଭ କରିଥିବା ଚାଷୀ ପାଣି ନପାଇ ବର୍ଷାକୁ ଚାତକ ଭଳି ଅନାଇ ରହିଛନ୍ତି । ମୌସୁମୀ ଆସିଲା ସତ, ହେଲେ ଉଭେଇ ଯାଇଛି ବର୍ଷା । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ହାତବାନ୍ଧି ବସିଛି ଚାଷୀ ।
ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ । ଯିଏ ଯେମିତି ପାଣି ମଡ଼ାଇ ଚାଷ କରିଥିବା ବେଳେ ଏବେ ଜଳସେଚନ ଅଭାବରୁ ଧାନତଳି ପୋଡ଼ି ଗଲାଣି । ନବରଙ୍ଗପୁର ଅଞ୍ଚଳରେ ହେକ୍ଟ ହେକ୍ଟର ଜମିରେ ରୁଆ କାମ ଶେଷ ହୋଇଥିବା ବେଳେ ପାଣି ଅଭାବରୁ ତଳି ଶୁଖି ଗଲାଣି । ଏଭଳି ସ୍ଥିତି ଆଗକୁ ଲାଗିରହିଲେ ମରୁଡି ଆଶଙ୍କା ରହିଛି । ଏନେଇ ଆମେ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିବା ବେଳେ, ଆଗାମୀ କିଛି ଦିନ ସମାନ ସମସ୍ୟା ରହିଲେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ସରକାରଙ୍କୁ ଦିଆଯିବ ବୋଲି ଜଣାଇଛନ୍ତି ।
ସେପଟେ ଯାଜପୁର ବଡ଼ଚଣା ବ୍ଲକ ଅଣକା ପଞ୍ଚାୟତରେ ବି ସମାନ ସମସ୍ୟା ଦେଖାଦାଇଛି । ବର୍ଷା ଅଭାବ ଯୋଗୁ ଚାଷ ଜମି ଫାଟି ଆଁ କରିଥିବା ବେଳେ ପାଣି ନପାଇ ତଳି ନଷ୍ଟ ହେଲାଣି । ଚାଷ କାମ ଅଧାରେ ରହିବା ଯୋଗୁ ଚାଷୀଙ୍କ ଚିନ୍ତା ବଢିଛି । ଧାର କରଜ କରି ଚାଷ ଆରମ୍ଭ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । ଆଉ କିଛି ଦିନ ବର୍ଷା ନହେଲେ ଆଗକୁ ମରୁଡି ଡର ରହିଛି । ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।